ସିସିଟିଭି ସ୍କାନରରେ ରହିବ ଧାନ ବିକ୍ରୟ କେନ୍ଦ୍ର, ରବି ଓ ଖରିଫ ଋତୁରେ ଠକାମିରୁ ରକ୍ଷା ପାଇବେ ଚାଷୀ

ଭୁବନେଶ୍ୱର: ଧାନ କିଣାରେ ଚାଷୀଙ୍କୁ ଶୋଷଣ କରୁଥିବା ଅସାଧୁ ବାବୁ ସାବଧାନ ! ଏଣିକି ସିସିଟିଭି ସ୍କାନରରେ ରହିବ ଧାନ ବିକ୍ରୟ କେନ୍ଦ୍ର । ଧାନର ଅଭାବୀ ବିକ୍ରି ଉପରେ ଏହା ରୋକ ଲଗାଇବାରେ ସହାୟକ ହେବ । ଏହାଦ୍ବାରା ଚାଷୀମାନେ ଶୋଷଣରୁ ରକ୍ଷା ପାଇପାରିବେ। ଧାନ କିଣା ସମୟରେ ସବୁ ଗତିବିଧି ସିସିଟିଭି ଦ୍ବାରା ମନିଟର କରାଯିବ। ଏହାର ସିଧାସଳଖ ତଦାରଖ ସମବାୟ ବିଭାଗରେ କରାଯିବ । ଏଥିରେ ଚଞ୍ଚକତା ଧରାପଡ଼ିଲେ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବେ। ରାଜ୍ୟର ୨୭୧୦ ପ୍ୟାକ୍ସ, ଲ୍ୟାମ୍ପସ ଓ ନିୟନ୍ତ୍ରିତ ବଜାର କମିଟି ଅର୍ଥରୁ ଏହି ସିସିଟିଭି ଲଗାଯିବ। ଜିଲ୍ଲା ପ୍ରଶାସନ ସହ ସମନ୍ବୟ ରକ୍ଷା କରି ସିସିଟିଭି ଲଗାଇବାକୁ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ନିଷ୍ପତ୍ତି ନେଇଛି ।

ଚାଷୀଙ୍କ ଅର୍ଥନୈତିକ ବିକାଶ ହେଲେ ଯାଇ ଦେଶର ବିକାଶ ହୋଇପାରିବ। ଭାରତ ଏକ କୃଷି ପ୍ରଧାନ ଦେଶ। ଅନ୍ୟ ରାଜ୍ୟମାନଙ୍କ ପାଇଁ ଭାତ ହାଣ୍ଡି ସାଜିଛି ଓଡ଼ିଶା । ମଣ୍ଡି, ଗୋଦାମ ଘର, ପିଣ୍ଡି ବ୍ୟବସ୍ଥା ପାଇଁ ବିଭିନ୍ନ ସମୟରେ ଚାଷୀ ଦାବି କରିଛନ୍ତି । କଟନୀ ଛଟନୀର ଅନେକ ଅଭିଯୋଗ ବି ଆସିଥାଏ । ଏଣିକି ସିସିଟିଭି ଲଗାଗଲେ, ବହୁ ମାତ୍ରାରେ ଚାଷୀଙ୍କ ସମସ୍ୟାର ସମାଧାନ ହୋଇପାରିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମକୁ ଚାଷୀ ମହଲରେ ପ୍ରଶଂସା କରାଯାଇଛି ।

ଚାଷୀ ଓ ଚାଷର ସଶକ୍ତିକରଣ ପାଇଁ କାଳିଆ, ବଳରାମ ପରି ମେଗା ସ୍କିମ୍ କରିଛନ୍ତି ରାଜ୍ୟ ସରକାର । ଏପରିକି ସ୍ବତନ୍ତ୍ର କୃଷି ବଜେଟ ଜରିଆରେ କୃଷିର ଉନ୍ନତି ପାଇଁ ପଦକ୍ଷେପ ନିଆଯାଉଛି । ତେବେ ଚାଷୀ ଯେପରି ଉଚିତ୍ ପ୍ରାପ୍ୟ ପାଇବ, ସେଥିପାଇଁ ଯତ୍ନବାନ ହୋଇଛନ୍ତି ରାଜ୍ୟ ସରକାର । ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ପାଇଁ ଏକ ଲକ୍ଷ ଚାଷୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ କରାଯାଇଛି । ସେମାନଙ୍କ ଚାଷ ସହ ଅନ୍ୟ ଆୟ କ୍ଷେତ୍ରକୁ ସମୀକ୍ଷା କରାଯାଇ ଆୟ ବୃଦ୍ଧି ପାଇଁ ରୋଡମ୍ୟାପ ପ୍ରସ୍ତୁତ କରାଯାଉଛି ।