ରାଜ୍ୟରେ ଅବହେଳିତ ସରକାରୀ ସ୍କୁଲ: ଶିକ୍ଷକଙ୍କ ସଂଖ୍ୟା ବି ବହୁତ କମ

1 min read

ରାଜ୍ୟର ସ୍କୁଲଗୁଡିକରେ ଯାହା ଭିତ୍ତିଭୂମି ଯାହା ଅଛି ତାକୁ ସଂରକ୍ଷିତ ଓ ସୁରକ୍ଷିତ କରିବାର ଆବଶ୍ୟକତା ଅଛି। ଯେଉଁଥିପାଇଁ ସରକାରୀ ସ୍କୁଲଗୁଡିକ ଅବହେଳିତ ଅବସ୍ଥାରେ ରହୁଛି । ଯତ୍ନ ନେବାକୁ କେହି ନାହିଁ ବୋଲି ଆଇସିଏସଇର ସଂଘ ଆସୋସିଏସନ ଅଫ ସ୍କୁଲସ ଫର ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ-ଏଏସଆଇଏସସି ପକ୍ଷରୁ କୁହାଯାଇଛି । ସେପଟେ ଦେଶର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ବ୍ୟାପକ ଶିକ୍ଷକଙ୍କ ଅଭାବ ରହିଛି । ଯାହାକି ପୂରଣ ହେବା ନିହାତି ଆବଶ୍ୟକ ବୋଲି କୁହାଯାଇଛି । ସେପଟେ କିନ୍ତୁ ଆଇସିଏସଇ ବୋର୍ଡ ସ୍କୁଲ ଗୁଡିକରେ ଏଆଇ , ରୋବୋଟିକସ ଓ ସ୍କିଲ ଡେଭଲପମେଣ୍ଟକୁ ଗୁରୁତ୍ୱ ଦେଉଛି । ଏଥିପାଇଁ ପ୍ରଶିକ୍ଷଣ ବି ଚାଲିଛି। ଜୋନାଲ ଲେଭଲ ପ୍ରୋଗ୍ରାମ ହେଉଛି । ରାଉରକେଲା, ଭୁବନେଶ୍ୱର ପରେ ଆଗକୁ ବ୍ରହ୍ମପୁରରେ ପ୍ରୋଗ୍ରାମ ହେବ । ତେଣୁ ଜାତୀୟ ଶିକ୍ଷା ନୀତିକୁ ସଠିକ ଢଙ୍ଗରେ ଲାଗୁ କରିବାକୁ ହେଲେ ସବୁ ଦିଗକୁ ଦୃଷ୍ଟି ଦେବାକୁ ପଡିବ। ସେପଟେ ରାଜ୍ୟରେ ଜାତୀୟ ଶିକ୍ଷାନୀତି ଅଧାଖଣ୍ଡିଆ ଲାଗୁ ହୋଇଥିବା ଶିକ୍ଷାବିତମାନେ ଅଭିଯୋଗ କରିଛନ୍ତି । ତାମିଲନାଡୁ, କେରଳ ଓ କର୍ଣ୍ଣାଟକ ଭଳି ରାଜ୍ୟ ନିଜର ଶିକ୍ଷା ନୀତି କରୁଛନ୍ତି । ଓଡିଶା ସରକାର ମଧ୍ୟ ନିଜର ସ୍ଥିତିକୁ ଦେଖି ନିଜର ସ୍ୱତନ୍ତ୍ର ଶିକ୍ଷା ନୀତି କରିବାକୁ ଦାବି ହୋଇଛି।

ସେପଟେ ଉତ୍କଳ ଅଭିଭାବକ ସଙ୍ଘ ମଧ୍ୟ ସରକାରଙ୍କ ଲୁଚକାଳି ଖେଳକୁ ତୀଵ୍ର ସମାଲୋଚନା କରିଛି । ରାଜ୍ୟର ସ୍କୁଲରେ ଆବଶ୍ୟକ ଭିତ୍ତିଭୂମି ବିକାଶ ନ କରି ଶିକ୍ଷକ ନିଯୁକ୍ତି ନ କରି ସରକାର କେବଳ ଘୋଷଣାରେ ସୀମିତ ରହୁଥିବା ଅଭିଯୋଗ କରିଛି ସଂଘ। ଏପରିକି ଜାତୀୟ ଶିକ୍ଷା ନୀତି ନାଁରେ ପିଲାଙ୍କ ଉପରେ ବହୁ ଅନାବଶ୍ୟକ ପାଠ୍ୟକ୍ରମ ଲଦି ଦିଆଯାଉଛି ବୋଲି ଅଭିଯୋଗ ହୋଇଛି । ସେପଟେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀଙ୍କ ଉତ୍ତର ଜାତୀୟ ଶିକ୍ଷନୀତିକୁ ଆଧାର କରି ରାଜ୍ୟରେ ନୂତନ ଶିକ୍ଷକ ପଦବୀ ପୂରଣ ହେବ। ୩ ବର୍ଷ ମଧ୍ୟରେ ପ୍ରତିବର୍ଷ ୧୫ ହଜାର ଲେଖାଏଁ ଶିକ୍ଷକ ନିଯୁକ୍ତି ହେବ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ । ସେହିପରି ଜାତୀୟ ଶିକ୍ଷା ନୀତିରେ ଶିଶୁ ବାଟିକାରୁ ପଞ୍ଚମ ପାଇଁ ନିଜ ଭାଷାରେ ଶିକ୍ଷା ଦେବା ସହ ଶିକ୍ଷକ ନିଯୁକ୍ତିକୁ ଗୁରୁତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି। ସରକାରୀ ସ୍କୁଲରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ବହୁ ଘୋଷଣା କରାଯାଉଛି । କିନ୍ତୁ ଏ ସବୁର ସଠିକ କ୍ରିୟାନ୍ଵୟନକୁ ନେଇ ବିଭିନ୍ନ ସ୍ତରରେ ପ୍ରଶ୍ନ ଉଠୁଛି।