ରାଜ୍ୟପାଳଙ୍କ ଅଭିଭାଷଣ ଗତ ବଜେଟ ଭାଷଣର ମିନି ସାଇଜ: ବିଜେଡି

ଭୁବନେଶ୍ବର: ରାଜ୍ୟପାଳଙ୍କ ଅଭିଭାଷଣକୁ ନେଇ ବର୍ଷିଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ । କହିଲେ, ରାଜ୍ୟପାଳଙ୍କ ଅଭିଭାଷଣ ଗତ ବଜେଟ ଭାଷଣର ମିନି ସାଇଜ । କେବଳ କପି ପେଷ୍ଟ ଥିଲା । ସେ କହିଛନ୍ତି, ନୂଆ ସରକାରଙ୍କୁ ଆଠ ମାସ ବିତିସାରିଲାଣି । ସରକାର ଆଉ ଗୁରୁଣ୍ଡୁ ନାହାଁନ୍ତି । ସରକାରଙ୍କ ଡିସକାଉଣ୍ଟ ସହାନୁଭୂତି ସରିଲାଣି । ପ୍ରଦର୍ଶନ କର ନହେଲେ ପଳାଅ ବୋଲି ଗର୍ଜନ କରି କହିଛନ୍ତି ରଣେନ୍ଦ୍ର ।
ଆଗକୁ ସେ କହିଛନ୍ତି, ସୁଭଦ୍ରାରେ ୫ ହଜାର ଟଙ୍କା ଦେଇ ଠକି ଦେଇଛନ୍ତି । ଚାଷୀ ଏବେ ଧାନ ରାସ୍ତାରେ ରଖି ଛି ଛି କହୁଛନ୍ତି । ସାରା ରାଜ୍ୟରୁ ୧୦ରୁ ୧୨ କିଲୋ ଯାଏଁ କଟନି ଛଟନି ହେଉଛି । ଏଣ୍ଡୁଆ ରଙ୍ଗ ପରି ଯୋଗାଣ ମନ୍ତ୍ରୀଙ୍କ ଭାଷଣ ବଦଳୁଛି । ମିଲରଙ୍କ ସହ ମିଶି ଠନ ଠନ ଗୋପାଳ ନେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ରଣେନ୍ଦ୍ର ।
୪ ଶହ କୋଟି ଦେଇ ପ୍ରବାସୀ ଭାରତ ଓ ଉତ୍କର୍ଷ ଓଡ଼ିଶା କଲେ । ଏ ଯାଏଁ ୩୦ ପ୍ରତିଶତ ଚାଷୀ ଧାନ ବିକି ପାରି ନାହାନ୍ତି । ୮୦ ଲକ୍ଷ ମେଟ୍ରିକ ଟନ ଟାର୍ଗେଟ ରଖିଲେ ସରକାର । ହେଲେ ଏଯାଏଁ ୫୭ ଲକ୍ଷ ମେଟ୍ରିକ ଟନ କିଣା ଯାଇଛି । ସବୁ ଧାନ କିଣିବା ପାଇଁ ୧୬ ହଜାର କୋଟି ଦରକାର । ୧୨ ଲକ୍ଷ ଚାଷୀ ବାକି ଅଛନ୍ତି । ତାଙ୍କଠାରୁ ଧାନ କିଣିବାକୁ ୪୨ ଶହ କୋଟି ଦରକାର । ଯାହା ବଜେଟରେ ପ୍ରବଧାନ ନାହିଁ ।
ପକେଟରେ ନାହିଁ ଧାନ, ପୁଅ ବାହାଘର ପାଇଁ ମନ କହି ଚାଷୀଙ୍କୁ ଭଣ୍ଡାଇବାକୁ ଯୋଜନା ଚାଲିଛି କହି ସରକାରଙ୍କୁ କଟାକ୍ଷ କରିଛନ୍ତି ରଣେନ୍ଦ୍ର । ଏବେ ଆଉ ଓଡ଼ିଶାବାସୀ ଛାଡ଼ିବେ ନାହିଁ । ମୁଖ୍ୟମନ୍ତ୍ରୀ ଆଇନ ଶୃଙ୍ଖଳା ପାଇଁ ଉତ୍ତରଦାୟୀ । କାରଣ ସେ ଗୃହ ମନ୍ତ୍ରୀ ବି ଅଛନ୍ତି । ଭୁବନେଶ୍ୱରରେ ବାବୁ ସିଂ ଠେଙ୍ଗା ବାହିନୀ କରି ଦେଲେ । ଆଇନ ଶୃଙ୍ଖଳା ଆଉଟସୋର୍ସିଙ୍ଗ କି ବୋଲି ପ୍ରଶ୍ନ କରିଛନ୍ତି ରଣେନ୍ଦ୍ର । ପୋଲିସ ତୁଣ୍ଡି ବାନ୍ଧି ଦେଇଛି । ସଂସ୍କୃତିର ବଳ ପାଇଁ ଠେଙ୍ଗା ଉଠାଇବାକୁ କିଏ କ୍ଷମତା ଦେଲା ? ଯଦି ସରକାର ଅପାରଗ, ତାହା ଗୃହରେ ଜଣାନ୍ତୁ ବୋଲି ଅପିଲ କରିଛନ୍ତି ରଣେନ୍ଦ୍ର ।
ମନ୍ତ୍ରୀମାନେ କାହାକୁ ମାନୁ ନାହାନ୍ତି । ମନ୍ତ୍ରୀ ଓ ସଚିବଙ୍କ ଭିତରେ ସମନ୍ୱୟ ନାହିଁ । ପ୍ରାଣୀ ସମ୍ପଦ ମନ୍ତ୍ରୀ ବିନା କ୍ୟାବିନେଟରେ ଘୋଷଣା କରି ଦେଲେ ମଧ୍ୟାନ୍ନ ଭୋଜନରେ କ୍ଷୀର ଦେବେ । ୯୦୦ କୋଟି ଆସିବ କେଉଁଠୁ ? କାମଧେନୁରେ କେତେ ଗାଈ ଦେଲ ? ଗୋଦାବରୀଶରେ କେତେ ସ୍କୁଲ କଲ ? ନିର୍ବାଚନ ଇସ୍ତାହାରରେ ବନ୍ଦ ସ୍କୁଲ ଖୋଲିବାକୁ କହିଥିଲ, କେତେ ଖୋଲିଛ ? କେତେ ଶିକ୍ଷକ ନିଯୁକ୍ତି ଦେଲେ ? ପୂର୍ବ ସରକାର ସମୟରେ ଯାହା ହୋଇଥିଲା, ତାକୁ ପୁଣି କଲ କହି ରାଜ୍ଯପାଳଙ୍କ ଅଭିଭାଷଣରେ ଏପରି ସମାଲୋଚନା କରିଛନ୍ତି ରଣେନ୍ଦ୍ର ।