ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ୧୫ ପ୍ରତିଶତ ସଂରକ୍ଷଣ ନେଇ ବିଜ୍ଞପ୍ତି ପ୍ରକାଶ

1 min read

ଭୁବନେଶ୍ୱର: ଏଣିକି ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂ କଲେଜରେ ୧୫ ପ୍ରତିଶତ ସଂରକ୍ଷଣ ରହିବ । ଏନେଇ ରାଜ୍ୟ ସରକାରଙ୍କ ଦକ୍ଷତା କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଆଜି ବିଜ୍ଞପ୍ତି ପ୍ରକାଶ କରିଛି । ଏ ସମ୍ପର୍କରେ ବିଭାଗ ପକ୍ଷରୁ ଗଠିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ରାଜ୍ୟ ସରକାରଙ୍କୁ ପୂର୍ବରୁ ସୁପାରିସ୍ କରିଥିଲା । ହାଇକୋର୍ଟର ପୂର୍ବତନ ବିଚାରପତି ଡକ୍ଟର ଏ.କେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜାନୁଆରୀ ୮ ତାରିଖରେ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ ହୋଇଥିଲା । ହାଇପାୱାର କମିଟିର ସୁପାରିସ୍ ଗୁଡ଼ିକ ହେଲା, ସରକାରୀ ସ୍କୁଲ ଓ ଜୁନିଅର କଲେଜରେ ପାସ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂ କଲେଜରେ ୧୫ ପ୍ରତିଶତ ସଂରକ୍ଷଣ ପ୍ରଦାନ । ଏହି ସଂରକ୍ଷଣ ବ୍ୟବସ୍ଥା ଉଭୟ ସାଧାରଣ ବର୍ଗ ଓ ସରଂକ୍ଷିତ ବର୍ଗଙ୍କ କ୍ଷେତ୍ରରେ ସମାନଭାବରେ ଲାଗୁ ହେବ । ଓଡ଼ିଶା ପ୍ରଫେସନାଲ ଏଜୁକେସନ୍ ଆଇନ ୨୦୦୭ର ସେକ୍ସନ-୯ ଅନୁସାରେ ରାଜ୍ୟ ସରକାର ଏ ନେଇ ବିଜ୍ଞପ୍ତି କରିପାରିବେ ବୋଲି କମିଟି ସୁପାରିସ କରିଥିଲା । ସେହି ଅନୁସାରେ ଆଜି କୌଶଳ ବିକାଶ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ବିଜ୍ଞପ୍ତି ଅନୁସାରେ ୧୫ ପ୍ରତିଶତ ସଂରକ୍ଷଣ ସୁବିଧା ପାଇବାକୁ ଥିବା ଶିକ୍ଷାନୁଷ୍ଠାନଗୁଡିକ ହେଲେ ସରକାରୀ ହାଇସ୍କୁଲ, ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲ, ଉଚ୍ଚ ମାଧ୍ୟମିକ ସ୍କୁଲ, ଜୁନିଅର କଲେଜ ପ୍ରମୁଖ । ସେହିପରି ସଂରକ୍ଷଣ ସୁବିଧା ଥିବା ଡାକ୍ତରୀ ପାଠ୍ୟକ୍ରମରେ ଏମବିବିଏସ, ବିଡିଏସ, ବିଏଚଏମଏସ, ବିଏଏମଏସ, ବିଏସଏମଏସ, ବିୟୁଏମଏସ ସାମିଲ ରହିଛି । ଇଂଜିନିୟରିଂ କୋର୍ସରେ ବି.ଟେକ, ବି.ଇ, ଏବଂ ବି.ଆର୍କକୁ ସାମିଲ କରାଯାଇଛି । ସେହିପରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଏହି ଛାତ୍ରଛାତ୍ରୀ ଅଣସଂରକ୍ଷିତ ସିଟ ପାଇଁ ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରିପାରିବେ । ଯଦି ୧୫ ପ୍ରତିଶତ ସିଟ ପୂରଣ ନହୁଏ ତେବେ ସେହି କ୍ଷେତ୍ରରେ ତାହା ଅନ୍ୟବର୍ଗର ଛାତ୍ରଛାତ୍ରୀଙ୍କୁ ଆବଣ୍ଟନ କରାଯାଇପାରିବ ।

Leave a Reply