ପଶ୍ଚିମବଙ୍ଗରୁ ଚୋରା ଆଳୁ ଆଣି ଡିଲରଙ୍କୁ ବାଣ୍ଟିଲେ ସରକାର

ଭୁବନେଶ୍ବର: ଗ୍ରାହକଙ୍କୁ ସରକାର ବିକିଲେ ଚୋରା ଆଳୁ। ପଶ୍ଚିମବଙ୍ଗରୁ ଚୋରା ଆଳୁ ଆଣି ଡିଲରଙ୍କୁ ବାଣ୍ଟିଲେ ସରକାର। ଏବେ ରାଜ୍ୟକୁ ପଶ୍ଚିମବଙ୍ଗରୁ ଆଳୁ ଗାଡ଼ି ଅସୁନାହିଁ। ବ୍ୟବସାୟୀ ମାନେ ପଶ୍ଚିବମଙ୍ଗରୁ ମଧ୍ୟ ଆଳୁ ପାଉନାହାନ୍ତି। ପଶ୍ଚିମବଙ୍ଗ ଓଡ଼ିଶା ସୀମାରେ ଚୋରା ଆଳୁ ଗାଡ଼ିକୁ ଧରପଗଡ କରୁଛି ପୋଲିସ। ଏଭଳି ସ୍ଥିତିରେ ଯୋଗାଣ ବିଭାଗ କେଉଁଠୁ ପଶ୍ଚିମବଙ୍ଗ ଆଳୁ ଆଣିଲା, ତାକୁ ନେଇ ଉଠିଛି ପ୍ରଶ୍ନ।

ଗାଡିର ଡ୍ରାଇଭର କହୁଛନ୍ତି, ବହୁତ ବାଟ ବୁଲି ବୁଲି ଆସିବାକୁ ପଡ଼ିଛି। ଡିଲରଙ୍କୁ ଆଳୁ କଣ୍ଟ୍ରୋଲ ଜରିଆରେ ଦେବା ପାଇଁ ସରକାର ଚୋରାରେ ପଶ୍ଚିମବଙ୍ଗରୁ ଆଳୁ ଆଣିଛନ୍ତି କି ? ରାଜ୍ୟରେ ଆଳୁ ସଙ୍କଟର ସମାଧାନ ହୋଇପାରୁନଥିବା ବେଳେ, ସରକାର କେମିତି ପଶ୍ଚିମବଙ୍ଗରୁ ଆଳୁ ଆଣିଲେ ? ରାଜ୍ୟ ସରକାର ପଶ୍ଚିମବଙ୍ଗ ସରକାରଙ୍କ ସହ କଥା ହୋଇ ସରକାରୀ ଭାବେ ଆଳୁ ଆଣିଛନ୍ତି ନା ଯୋଗାଣ ବିଭାଗ ଚୋରାରେ ଆଳୁ ଗାଡି ଆଣିଛି ସେନେଇ ସରକାର କିଛି ସ୍ପଷ୍ଟ କରିନାହାନ୍ତି।

ରାଜ୍ୟରେ ଆଳୁ ସଙ୍କଟକୁ ଏଡାଇବାକୁ ସରକାର ଏଭଳି ନାଟକ କରିଥିବା ଚର୍ଚ୍ଚା ହେଉଛି। ଗତ ମାସେ ହେଲା ରାଜ୍ୟରେ ଆଳୁ ସଙ୍କଟ ତୀବ୍ର ରୂପ ଧାରଣ କରିଛି। ସେପଟେ ଦିଲ୍ଲୀରେ ନୀତି ଆୟୋଗ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା କରି ଆଳୁ ସଙ୍କଟର ସମାଧାନ କରାଗଲା ବୋଲି କହିଥିଲେ ମଧ୍ୟ ପରବର୍ତ୍ତି ସମୟରେ ପଶ୍ଚିମବଙ୍ଗରୁ ଆଳୁ ଆସିନଥିଲା। ୟୁପିରୁ ଆଳୁ ଆଣି ବଜାରରେ ଉପଲବ୍ଧ କରାଇଥିଲେ ସରକାର। କିନ୍ତୁ ୟୁପି ଆଳୁକୁ ବ୍ୟବସାୟୀ କି ଗ୍ରାହକ ପସନ୍ଦ କରିଲେ ନାହିଁ। ତାଛଡ଼ା ୟୁପି ଆଳୁ ପରିବହନରେ ଅଧିକ ଖର୍ଚ୍ଚ ହେଉଥିବାରୁ ତାହ ମଧ୍ୟ ପସନ୍ଦ ହୋଇନଥିଲା।

ପରେ ସରକାରୀ ସ୍ତରରେ ପୁଣି କୁହାଗଲା ଯେ, ପଞ୍ଜାବରୁ ଆଳୁ ଆସିବ ଏବଂ ସମସ୍ୟାର ସମାଧାନ ହେବ। କିନ୍ତୁ ସେନେଇ ମଧ୍ୟ କୌଣସି ସ୍ପଷ୍ଟତା ନଥିଲା। ଏବେ ଆକ୍ରୋଶ ଯୋଗୁ ସରକାର ଡିଲରଙ୍କୁ ଆଳୁ ଦେବା ପାଇଁ ଯେଉଁ ଉଦ୍ୟମ କରିଛନ୍ତି, ତାହା ମଧ୍ୟ କେତେ ସଫଳ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।