ସର୍ତ୍ତ ମାନିଲା ବିସିସିଆଇ, ଗମ୍ଭୀର ହେବେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ

ନନ୍ଦିଘୋଷ ବ୍ୟୁରୋ: ସର୍ତ୍ତ ମାନିଲା ବିସିସିଆଇ । ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଖୁବ୍‌‌ଶୀଘ୍ର ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍‌‌ ଭାବେ ନିଯୁକ୍ତି ପାଇବେ। ଏନେଇ ପ୍ରକ୍ରିୟା ଆରମ୍ଭ ହେବା ସହ ପଥ ପରସ୍କାର ମଧ୍ୟ ହୋଇଛି। ପ୍ରଶିକ୍ଷକ ହେବା ପାଇଁ ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପ୍ରସ୍ତାବ ଦେଇଥିଲା ଓ ସେ ମଧ୍ୟ ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲେ। କିନ୍ତୁ ଗମ୍ଭୀର ବିସିସିଆଇ ଆଗରେ କୋତୋଟି ସର୍ତ୍ତ ରଖିଥିଲା। ଯାହାକୁ ବୋର୍ଡ ଗ୍ରହଣ କରିଛି ବୋଲି ରିପୋର୍ଟ ପ୍ରକାଶ ପାଇଛି।

ନିଜ ମନ ପସନ୍ଦର ସପୋର୍ଟ ଷ୍ଟାଫ୍‌‌ ନିଯୁକ୍ତି ଦେବାର ଅଧିକାର ଦେବାକୁ ଗମ୍ଭୀର ସର୍ତ୍ତ ରଖିଥିଲେ। କେବଳ ସେକିକି ନୁହଁ ସେ ଦଳରେ କୋତାଟି ଗଠନମୂଳକ ପରିବର୍ତ୍ତନ କରିବାକୁ ଚାହାଁନ୍ତି ବୋଲି ବୋର୍ଡକୁ ଅବଗତ କରାଇଥିଲେ। ବୋର୍ଡ ଅବଶ୍ୟ ଗମ୍ଭୀରଙ୍କ ଏହି ସର୍ତ୍ତକୁ ମାନିଦେଇଛି। ଚଳିତ ମାସେ ଶେଷ ଆଡକୁ ଗମ୍ଭୀରଙ୍କ ନିଯୁକ୍ତି ନେଇ ବୋର୍ଡ ଘୋଷଣା କରିବ ବୋଲି ଆଶା କରାଯାଉଛି।

ଯେତେବେଳେ ରବିଶାସ୍ତ୍ରୀ ମୁଖ୍ୟ ପ୍ରଶିକ୍ଷକ ଥିଲେ, ସେତେବେଳେ ସଞ୍ଜୟ ବାଙ୍ଗରଙ୍କ ସ୍ଥାନରେ ବିକ୍ରମ ରାଠୋରଙ୍କୁ ବ୍ୟାଟିଂ କୋଚ୍‌‌ ଭାବେ ନିଯୁକ୍ତି ଦିଆଯାଇଥିଲା। ଶାସ୍ତ୍ରୀଙ୍କ ସ୍ଥାନରେ ଯେତେବେଳେ ରାହୁଲ ଦ୍ରାବିଡ କୋଚ୍‌‌ ହେଲେ, ସେତେବେଳେ ରାଠୋର ତାଙ୍କ ପଦ ବଜାୟ ରଖିଥିଲେ। ଏବେ ପାରସ ମାହାମ୍ବ୍ରେ ଓ ଟି ଦୀଲିପ୍‌‌ ଯଥାକ୍ରମେ ଦଳର ବୋଲିଂ ଓ ଫିଲ୍ଡିଂ କୋଚ୍‌‌ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ନିଯୁକ୍ତି ପରେ ଗମ୍ଭୀର ସପୋର୍ଟ ଷ୍ଟାଫ୍‌‌ଙ୍କ ସମେତ ଦଳରେ କେତୋଟି ପରିବର୍ତ୍ତନ କରିବେ ବୋଲି ଆଶା କରାଯାଉଛି। ଯଦି ଏପରି କିଛି ହୁଏ, ତେବେ ତାହା କ୍ରିକେଟ ଜଗତରେ ବେଶ୍‌‌ ଚର୍ଚ୍ଚା ସୃଷ୍ଟି କରିବ।

ଉଲ୍ଲେଖଥାଉ କି, ଗମ୍ଭୀରଙ୍କ ତତ୍ତ୍ୱାବଧାନରେ କୋଲକାତା ନାଇଟ ରାଇଡର୍ସ (କେକେଆର) ଗତ ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ)ରେ ଟାଇଟଲ ହାସଲ କରିଥିଲା। କେବଳ ସେତିକି ନୁହଁ ଗମ୍ଭୀରଙ୍କ ନେତୃତ୍ୱରେ କୋଲକାତା ୨୦୧୨ ଓ ୨୦୧୪ରେ ଆଇପିଏଲ ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଥିଲା।