ଅଷ୍ଟଧାତୁର ଗୋପିନାଥଙ୍କ ସହ ସୁନା ଅଳଙ୍କାର ଚୋରି

ପୁରୀ: ଚୋରଙ୍କ ନଜରରେ ମନ୍ଦିର । ଠାକୁର ସହ ଖଟୁଲି ବି କଲେ ଗାଏବ । ଗ୍ରୀଲ ତାଢି ପଶିଲେ, ୫ ମୂର୍ତ୍ତି ଓ ସୁନା ଅଳଙ୍କାର କଲେ ଲୁଟ । ଏମିତି ଘଟଣା ଘଟିଛି ପୁରୀ ଜିଲ୍ଲା ବୀରନରସିଂହପୁର ଗାଁରେ ।

ଗାଁରେ ଥିବା ଗୋପିନାଥ ମନ୍ଦିରରରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ଅଷ୍ଟଧାତୁର ବାବା ଗୋପିନାଥଙ୍କ ସହ, ରାଧା, ଦୁର୍ଗା ଓ ଅନ୍ୟ ୨ ପାର୍ଶ୍ବ ଦେବାଦେବୀଙ୍କ ମୂର୍ତ୍ତି ଚୋରି କରିନେଇଛନ୍ତି । ଏହାସହ ଠାକୁରଙ୍କ ସୁନା ଓ ରୁପା ଅଳଙ୍କାର ମଧ୍ୟ ଲୁଟ କରିଛନ୍ତି । ଏଥିରେ ବାବା ଗୋପିନାଥଙ୍କ ବହୁମୂଲ୍ୟ ମୁକୁଟ ମଧ୍ୟ ରହିଛି ।

ସକାଳୁ ପୂଜାରୀ ମନ୍ଦିରକୁ ଆସିବା ପରେ ଗ୍ରୀଲ ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ମନ୍ଦିର ଭିତରକୁ ଯିବା ପରେ ଠାକୁର ଓ ଅଳଙ୍କାର ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ପୂଜାରୀ ଏନେଇ ଗ୍ରାମାବସୀଙ୍କୁ ଜଣାଇଥିଲେ । ମନ୍ଦିରରୁ ଏମିତି ଚୋରିକୁ ନେଇ ଗାଁରେ ଅସନ୍ତୋଷ ଦେଖା ଦେଇଛି । ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି ଅଭିଯୋଗ ହୋଇ ନଥିଲେ ବି ଥାନାକୁ ଯାଇ ଏତଲା ଦେବାକୁ ଗ୍ରାମବାସୀ ପ୍ରସ୍ତୁତ ହେଉଥିବା ଜଣାପଡିଛି ।