ପୁଳା ପୁଳା ଟଙ୍କା ପରେ ଧୀରଜ ସାହୁଙ୍କ ଘରେ ସୁନା ଖୋଜିବ ଆୟକର ବିଭାଗ

ଭୁବନେଶ୍ବର: ପୁଳା ପୁଳା ଟଙ୍କା ମିଳିବା ପରେ ଏବେ କଳାଧନର କୁବେର ଧୀରଜ ସାହୁଙ୍କ ଘରେ ସୁନା ଖୋଜିବ ଆୟକର ବିଭାଗ । ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ଝାଡଖଣ୍ଡ ଲୋହରଦଗା ଓ ରାଞ୍ଚି ଘରେ ପହଞ୍ଚିଛି ଆୟକର ବିଭାଗର ୧୨ ଜଣିଆ ଟିମ । ଏହି ଟିମ୍ ସାଙ୍ଗରେ ଆଣିଛି ଜିଓ ସର୍ଭିଲାନ୍ସ ସିଷ୍ଟମ । ଏହି ଯନ୍ତ୍ର ମାଟି ତଳେ  ଥିବା ସୁନାକୁ ଠାବ କରିବ ବୋଲି ଜଣାପଡିଛି । ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରେ ଚଢାଉ ପରେ ଟଙ୍କାର ପାହାଡ ଜବତ ହୋଇଛି । ଆଉ ଏବେ ସ୍ଥାବର ଅସ୍ଥାବର ସମ୍ପତିର ଆକଳନ କରୁଛି ଆୟକର ବିଭାଗ । ତେଣୁ କେତେ ସୁନା, ରୂପା ଲୁଚାଇ ରଖିଛନ୍ତି ଧୀରଜ ସାହୁ ତାର ଖୋଳତାଡ ହେବ । ଦରକାର ପଡିଲେ ଧୀରଜଙ୍କ ଘର ମାଟି ତାଡି ସୁନା ଗହଣାର ସନ୍ଧାନ କରିବ ଆୟକର ବିଭାଗ । ଧୀରଜଙ୍କ ଘରେ ପହଞ୍ଚିବା ବେଳେ ପରିବାରର ତିନିଜଣ ସଦସ୍ୟ ଓ ସିଆଇଏସଫ ଯବାନଙ୍କୁ ନେଇ ପହଞ୍ଚିଛି ଆୟକର ବିଭାଗ ।