ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କୁ ପ୍ରଫେସରଙ୍କ ଅସଦାଚରଣ ଅଭିଯୋଗ

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । କ୍ୟାମ୍ପସ ଭିତରେ ନିଜ ରୁମରେ ଛାତ୍ରୀଙ୍କୁ ଜଣେ ପ୍ରଫେସର ଅସଦାଚରଣ କରିଛନ୍ତି । ଟଣା ଓଟରା କରିବା ସହ ବାହାରେ ପ୍ରକାଶ ନ କରିବାକୁ ଧମକ ଦେଇଛନ୍ତି । ଏଭଳି ଅଭିଯୋଗ ଆଣିଛନ୍ତି ବିଶ୍ଵବିଦ୍ୟାଳୟର ଜଣେ ଛାତ୍ରୀ ।

ପ୍ରାୟ ମାସେ ତଳେ ଅଗଷ୍ଟ ୧୬ରେ ଏହି ଘଟଣା ଘଟିଥିଲା । ବହି ଆଣିବାକୁ ଯାଇଥିବା ବେଳେ ପ୍ରଫେସର ଜଣକ ଅସଦାଚରଣ କରିଥିବା ପୀଡ଼ିତା କହିଛନ୍ତି । ଏ ସମ୍ପର୍କରେ ୟୁନିଭର୍ସିଟିର ସେକ୍ସୁଆଲ ହାରାସମେଣ୍ଟ ସେଲରେ ସଂପୃକ୍ତ ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି । ଏପରିକି କୁଳପତିଙ୍କୁ ମଧ୍ୟ ଚିଠି ଲେଖିଛନ୍ତି । କିନ୍ତୁ ଘଟଣାର ମାସେ ପରେ ବି କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଜଣାପଡ଼ିଛି । ଏହାକୁ ନେଇ ଅସନ୍ତୋଷ ବଢିବା ପରେ ୟୁନିଭର୍ସିଟିର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ତନାଘନା ଆରମ୍ଭ କରିଥିଲା ।

ସେପଟେ ଏହି ସମ୍ବେଦନଶୀଳ ଘଟଣାକୁ ନେଇ ଏନଏଚଆରସିରେ ମାମଲା ହୋଇଛି । ସୂଚନା ଅଧିକାର କର୍ମୀ ଜୟନ୍ତ ଦାସ ଏହି ଆବେଦନ କରିଛନ୍ତି । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଜାଣିଶୁଣି ମାମଲା ଚପାଇଥିବା ଆବେଦନରେ ସେ ଉଲ୍ଲେଖ କରିଛନ୍ତି । ଜଣେ ପ୍ରଫେସର ଛାତ୍ରୀଙ୍କୁ ନିର୍ଯାତନା ଦେବା ଦୁଃଖଦାୟକ । ବିଶ୍ୱବିଦ୍ୟାଳୟରେ ଘଟଣା ଘଟିଥିଲେ ବି କର୍ତ୍ତୃପକ୍ଷ ନୀରବ ଥିଲେ । ପୀଡିତା ଛାତ୍ରୀଙ୍କୁ ବାରମ୍ବାର ଧମକ ଦିଆଯାଉଛି । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ପ୍ରଫେସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କହିଛନ୍ତି ସୂଚନା ଅଧିକାର କର୍ମୀ । ପୀଡିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି ସୂଚନା ଅଧିକାର କର୍ମୀ ଜୟନ୍ତ ଦାସ । ଉତ୍କଳ ବିଶ୍ୱବିଦ୍ୟାଳୟର ସମସ୍ତ ପ୍ରଫେସରଙ୍କ ଚ୍ୟାମ୍ବରରେ ସିସିଟିଭି ଲଗାଇବାକୁ ମଧ୍ୟ ଆବେଦନ କରାଯାଇଛି ।