ଗାଜିପୁର ଗଙ୍ଗା ନଦୀ କୂଳରେ ମଧ୍ୟ ଭାସୁଛି ମୃତଦେହ: ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ

ଗାଜିପୁର: ବିହାରର ବକ୍ସର ପରେ ଏବେ ଉତ୍ତରପ୍ରଦେଶର ଗାଜିପୁରର ଗଙ୍ଗା ନଦୀରେ ଭାସୁଛି ମୃତଦେହ । ଜିଲ୍ଲାର ଗହମର ଥାନା ଅଞ୍ଚଳରେ ନରବା, ସୋଝବା ଏବଂ ବୁଲାକିଦାସ ବାବା ଘାଟରେ କୁଢ଼ କୁଢ଼ ଶବ ଭାସୁଥିବା ଦେଖିବାକୁ ମିଳିଛି । ଏହା ବ୍ୟତୀତ କରଣ୍ଡା କ୍ଷେତ୍ରର ବହୁ ଘାଟରେ ମଧ୍ୟ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ଏହି ମୃତଦେହ ଗୁଡ଼ିକ ଦେଖିବାକୁ ମିଳିବା ପରେ ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି । ମୃତଦେହ ଗୁଡ଼ିକ କରୋନା ସଂକ୍ରମିତ ହୋଇଥିବା ଆଶଙ୍କାରେ ଗ୍ରାମବାସୀ ଭୟଭୀତ ହୋଇଯାଇଛନ୍ତି । ଅପରପକ୍ଷରେ ଘଟଣା ନେଇ ଅବଗତ ହେବା ପରେ ତଦନ୍ତ ନେଇ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ଜିଲ୍ଲାପାଳ ।

ଗାଜିପୁର ଜିଲ୍ଲାପାଳ ଏମ୍‌ପି ସିଂହ କହିଛନ୍ତି ଯେ, ଘଟଣା ସମ୍ପର୍କରେ ଆମେ ଅବଗତ ଅଛୁ । ଆମର ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ଏବଂ ତଦନ୍ତ ଚାଲିଛି । ମୃତଦେହ କେଉଁଠୁ ଆସିଲା ଏ ନେଇ ତନାଘନା ଆରମ୍ଭ ହୋଇଛି । ଏଥିଲାଗି ଟିମ୍ ଗଠିତ ମଧ୍ୟ ହୋଇସାରିଛି ।

        ସୂଚନା ଯୋଗ୍ୟ ଯେ, ବକ୍ସର ଜିଲ୍ଲାର ଚୌସା କ୍ଷେତ୍ରର ମହାଦେବ ଘାଟ ଉପରେ ସୋମବାର ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି । ଚୈସା ଜିଲ୍ଲା ପ୍ରଶାସନ ପ୍ରଶାସନର ସନ୍ଦେହ କରୁଛି ଯେ, ଏହି ମୃତଦେହ ୟୁପିରୁ ଭାସି ଆସିଛି ।

ମୃତଦେହ ଗୁଡ଼ିକ କରୋନା ସଂକ୍ରମିତଙ୍କ ହୋଇଥିବ ବୋଲି ଆଶଙ୍କା କରାଯାଉଥିବାବ ବେଳେ ଜିଲ୍ଲା ପ୍ରଶାସନର ଅଧିକାରୀ ଏହାକୁ ଅସ୍ୱୀକାର କରିଛନ୍ତି ।ଜିଲ୍ଲାଧିକାରୀ ଜ୍ଞାନେଶ୍ୱର ତ୍ରିପାଠୀ କହିଛନ୍ତି ଯେ, କରୋନା ସଂକ୍ରମିତଙ୍କ ମୃତଦେହ ପ୍ୟାକିଂ ହୋଇଥାଏ କିନ୍ତୁ ଏହି ମୃତଦେହ ଗୁଡ଼ିକରେ ସେଭଳି କିଛି ଦେଖିବାକୁ ମିଳିନାହିଁ ।

ଏଥିସହିତ ପଢ଼ନ୍ତୁ: ଚିନ୍ତା ବଢ଼ାଇଲା ଭାରତର ଡବଲ ମ୍ୟୁଟାଣ୍ଟ ଭାଇରସ୍

Leave a Reply

ନଜର ପକାନ୍ତୁ