ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ଘଣାଲାଗି ନୀତି

ପୁରୀ : ଆଜି ଆଷାଢ ମାସ କୃଷ୍ଣପକ୍ଷ ତ୍ରୟଦଶୀ ତିଥି ଅବସରରେ ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ଘଣାଲାଗି ନୀତି ଅନୁଷ୍ଠିତ ହେବ। ସୁଦ୍ଧ ସୁଆରଙ୍କ ଘରୁ ଖଳି ଶ୍ରୀମନ୍ଦିରକୁ ବିଜେ କରାଯିବ । ପରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଦଇତାପତି ସେବକ ମାନେ ଖଳି ମହାପ୍ରସାଦ ଲାଗି ନୀତି ସମ୍ପନ୍ନ କରିବେ । ସେହିପରି ଦତ୍ତ ମହାପାତ୍ରଙ୍କ ଘରୁ ଆସିଥିବା ଖଡ଼ି ମହାପ୍ରଭୁଙ୍କୁ ଲାଗି କରାଯିବ । ଅଣସର ପିଣ୍ଡିରେ ଦଇତାପତି ଓ ପତିମହାପାତ୍ର ଏହି ଗୁପ୍ତ ସେବା ସମ୍ପାଦନ କରିବେ । ଅଣସର ଗୃହରେ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ଶ୍ରୀବିଗ୍ରହମାନଙ୍କୁ ଘଣା ଲାଗି ପରେ ଖଳି ଲାଗି ଓ ତତ୍ପରେ ଖଡ଼ି ଲାଗି କରାଯିବ ।

ଶ୍ରୀବିଗ୍ରହମାନଙ୍କ ଘଣା ଲାଗି ସମ୍ପନ୍ନ ହେବା ପରେ ଘଣ୍ଟ , ଛତା, କାହାଳି ସହ ଖଳି ପ୍ରସାଦ ଶୁଦ୍ଧ ସୁଆରଙ୍କ ଘରଠାରୁ ଶ୍ରୀମନ୍ଦିରକୁ ବିଜେ କରାଯିବ । ଏହି ଖଳିକୁ ଶୁଦ୍ଧ ସୁଆରମାନେ ନିଜନିଜ ବାସଭବନରେ ଶୁଦ୍ଧପୁତ ଭାବେ ପ୍ରସ୍ତୁତ କରିଥାନ୍ତି । ଖଳିକୁ ଶୁଦ୍ଧ ସୁଆରଙ୍କ ବାସ ଭବନରେ ଖଳି ହାଣ୍ଡିକୁ ଘରର ମହିଳାମାନେ ବନ୍ଦାପନା କରିଥାନ୍ତି । ବିଜେ କାହାଳି ବାଜିବା ପରେ ସୁରକ୍ଷା ବଳୟ ଭିତରେ ପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଖଳି ଶ୍ରୀମନ୍ଦିରକୁ ବିଜେ କରାଯିବ।