ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ଏକ ଉପାନ୍ତ ଅଞ୍ଚଳରେ ପିଇବା ପାଣି ପାଇଁ ତୀବ୍ର ଜଳ ସଙ୍କଟ ଦେଖାଦେଇଛି। ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ଦୁଇ ବର୍ଷ ଧରି ଏଠାକାର ବାସିନ୍ଦା ଟୋପାଏ ପିଇବା ପାଣି ପାଇଁ ଚରମ ଦହଗଞ୍ଜ ହେଉଛନ୍ତି। ପ୍ରଶାସନର ଆଖିଦୃଶିଆ ଅବହେଳା ଯୋଗୁଁ ସ୍ଥାନୀୟ ଲୋକେ ଏବେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି।
ସରକାରୀ ଯୋଜନା ମୁତାବକ ଗାଁ ମୁଣ୍ଡରେ ସୋଲାର ପାଣି ଟ୍ୟାଙ୍କ ବସାଯାଇଛି ଏବଂ ପ୍ରତି ଘର ମୁହଁରେ ପାଇପ୍ ଲାଇନ୍ ମଧ୍ୟ ବିଛାଯାଇଛି। ହେଲେ ଆଶ୍ଚର୍ଯ୍ୟର କଥା ହେଉଛି, ଦୀର୍ଘ ଦିନ ହେବ ଏହି ସୋଲାର ଟ୍ୟାଙ୍କଟି ଅଚଳ ହୋଇ ପଡ଼ିରହିଛି। ଯାହାଫଳରେ ଗାଁର ପ୍ରାୟ ୩୦ରୁ ଅଧିକ ପରିବାର ପିଇବା ପାଣି ଟୋପାଏ ପାଇଁ ପ୍ରତିଦିନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସୋଲାର ପ୍ରକଳ୍ପ ଫେଲ୍ ମାରିବା ପରେ ଏବେ ଗାଁର ଶେଷ ମୁଣ୍ଡରେ ଥିବା ଏକମାତ୍ର ପୁରୁଣା କୂଅ ଉପରେ ଏହି ୩୦ ପରିବାର ନିର୍ଭର କରୁଛନ୍ତି। ଖରା ଦିନେ ଏହି କୂଅରୁ ପାଣି ସଂଗ୍ରହ କରିବା ପାଇଁ ମହିଳାମାନଙ୍କୁ ଘଣ୍ଟା ଘଣ୍ଟା ଧରି ଲାଇନରେ ଠିଆ ହେବାକୁ ପଡ଼ୁଛି।
ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ଏହି ପାଣି ସମସ୍ୟା ନେଇ ସେମାନେ ବାରମ୍ବାର ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପର୍ଯ୍ୟନ୍ତ ସମସ୍ତଙ୍କ ଦ୍ୱାରସ୍ଥ ହୋଇଛନ୍ତି। କିନ୍ତୁ ଦୁଃଖର କଥା, ଅଭିଯୋଗର ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇନାହାନ୍ତି। ପ୍ରଶାସନର ଏଭଳି ମନୋଭାବକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

