ସୌରଭ ଗାଙ୍ଗୁଲିଙ୍କୁ କରୋନା, ହସ୍ପିଟାଲରେ ହେଲେ ଭର୍ତ୍ତି

 କୋଲକାତା: ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କରୋନା ସଂକ୍ରମିତ ଚିହ୍ନଟ । ସାମାନ୍ୟ ଲକ୍ଷଣ ଦେଖାଯିବା ପରେ ସେ ଟେଷ୍ଟ କରିଥିଲେ ଓ ରିପୋର୍ଟ ପଜିଟିଭ୍ ଆସିଥିଲା। ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ହିଁ ସେ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ଗାଙ୍ଗୁଲିଙ୍କ ରକ୍ତ ନମୂନାକୁ ଜେନମ୍ ସିକ୍ୱେନ୍‌ସିଂ ପାଇଁ ପଠାଯିବ ବୋଲି ଜଣାପଡ଼ିଛି। ସେ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ, ଜାଣିବା ପାଇଁ ଏହି ପରୀକ୍ଷା କରାଯିବ। କାରଣ ଇତି ମଧ୍ୟରେ ଭାରତରେ ଅନେକ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି।  ଚଳିତ ବର୍ଷ ତୃତୀୟ ଥର ପାଇଁ ଗାଙ୍ଗୁଲି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପୂର୍ବରୁ ଛାତିରେ ଯନ୍ତ୍ରଣା ପାଇଁ ସେ ଦୁଇ ଥର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଜାନୁଆରୀ ମାସରେ ତାଙ୍କର ପ୍ରଥମେ ହୃଦ୍‌ଘାତ ହୋଇଥିଲା। କୋଲକାତା ସ୍ଥିତ ଘରେ ବ୍ୟାୟାମ କରିବା ବେଳେ ତାଙ୍କ ହୃଦ୍‌ଘାତ ହୋଇଥିଲା। ଏହା ପରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ଏହାର ୨୦ ଦିନ ପରେ ପୁଣି ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା ଓ ସେତେବେଳେ ତାଙ୍କ ଠାରେ ଦ୍ୱିତୀୟ ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା।

୪୯ ବର୍ଷୀୟ ଗାଙ୍ଗୁଲି କରୋନା ଟିକାର ଉଭୟ ଡୋଜ୍ ନେଇସାରିଛନ୍ତି । ତଥାପି ସେ ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି । ତେବେ ତାଙ୍କ ବଡ଼ ଭାଇ ସ୍ନେହାଶିଷ ଗାଙ୍ଗୁଲି ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ଏଥିସହିତ ପଢ଼ନ୍ତୁ: ଆଉ ୨ କରୋନା ଟିକା ଏବଂ ଔଷଧକୁ ଅନୁମତି ଦେଲେ ଭାରତ ସରକାର

 

 

 

Leave a Reply