ଗଞ୍ଜାମ ସୋରଳ ଗାଁରେ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ

ଗଞ୍ଜାମ: ଗଣେଶ ପୂଜା ବିସର୍ଜନ ବେଳେ ଅଘଟଣ । ଭସାଣି ବେଳେ ଅନେକ ସ୍ଥାନରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ସୋରଳ ଗାଁରେ ଭସାଣି ବେଳେ ହିଂସା । ଗଣେଶ ମେଢ଼ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷରେ ଅନେକ ଯୁବକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
ସୂଚନା ମୁତାବକ, ସୋରଳ ବସଷ୍ଟାଣ୍ଡ ସାହି ଓ କେଉଟ କଇଠା ସାହି ମଧ୍ଯରେ ଡିଜେ ଏବଂ ନାଚକୁ ନେଇ ପ୍ରଥମେ ବଚସା ହୋଇଥିଲା। ଏହାପରେ କିଛି ଅସାମାଜିକ ଯୁବକ ସର୍ଜରୀ ବ୍ଲେଡରେ ଅତର୍କିତ ଆକ୍ରମଣ କରିଥିଲେ। ସଂଘବଦ୍ଧ ଆକ୍ରମଣରେ ବସଷ୍ଟାଣ୍ଡ ସାହିର ଅନେକ ଯୁବକ ଲହୁଲୁହାଣ ହୋଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗାଁରେ ଚାପା ଉତ୍ତେଜନା ଲାଗି ରହିଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି ।
ଅନ୍ୟପଟେ ଭଦ୍ରକ ଜିଲ୍ଲା ତିହିଡି ଥାନା ପାଳିଆବିନ୍ଧାରେ ଗଣେଶ ମୂର୍ତ୍ତି ଭସାଣ ବେଳେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ଉଭୟ ପକ୍ଷରୁ ୨ ଜଣ ଗୁରୁତର ହୋଇଥିବାବେଳେ ୮ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ବୁଧବାର ରାତିରେ ଭସାଣ ବେଳେ ଘଟିଥିଲା ଗୋଷ୍ଠୀ ସଂଘର୍ଷ। ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି। ଜଣେ ମାଜିଷ୍ଟ୍ରେଟଙ୍କ ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।