ଆଜିଠାରୁ ଇସ୍ରାଏଲ ଓ ହମାସ ମଧ୍ୟରେ ପଣବନ୍ଦୀ ଅଦଳବଦଳ

1 min read

ନନ୍ଦିଘୋଷ ବ୍ୟୁରୋ : ଆଜିଠାରୁ ଇସ୍ରାଏଲ ଓ ହମାସ ମଧ୍ୟରେ ଆରମ୍ଭ ହେବ ପଣବନ୍ଦୀ ଅଦଳବଦଳ ପ୍ରକ୍ରିୟା । ନିଷ୍ପତ୍ତି ଅନୁସାରେ ଇସ୍ରାଏଲ କବଜାରେ ଥିବା ୧୫୦ ପାଲେଷ୍ଟିନୀୟ ବନ୍ଦୀଙ୍କ ମୁକ୍ତି ବଦଳରେ ହମାସ ୫୦ ଜଣ ଇସ୍ରାଏଲ ପଣବନ୍ଦୀଙ୍କୁ ମୁକ୍ତ କରିବ । ପ୍ରଥମ ପର୍ଯ୍ୟାୟରେ ୧୩ ଜଣ ମହିଳା ଓ ଶିଶୁଙ୍କୁ ଖଲାସ କରାଯିବ ବୋଲି ସୂଚନା ମିଳିଛି । ହମାସ କବଳରେ ବର୍ତ୍ତମାନ ୨୪୦ ପଣବନ୍ଦୀ ରହିଛନ୍ତି ବୋଲି ଆଶଙ୍କା କରୁଛି ଇସ୍ରାଏଲ । ଇସ୍ରାଏଲ ଜାତିୟ ନିରାପତ୍ତା ପରିଷଦ ଅଧ୍ୟକ୍ଷ ଜାଚି ହେନଗବି କହିଛନ୍ତି- ଶୁକ୍ରବାରଠାରୁ ପଣବନ୍ଦୀଙ୍କ ମୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହେବ । ଦୁଇ ପକ୍ଷ ମଧ୍ୟରେ ହୋଇଥିବା ରାଜିନାମା ଅନୁସାରେ ଏହା ଚାଲିବ । Israel-Hamas war: List of key events, day 5 | Israel-Palestine conflict  News | Al Jazeera

ସେପଟେ ଆଇଡିଏଫର ନିର୍ଦ୍ଦେଶ କ୍ରମେ ଉତ୍ତରାଞ୍ଚଳ ଗାଜାସ୍ଥିତ ଇଣ୍ଡୋନେସୀୟ ହସ୍ପିଟାଲରୁ ୪୫୦ ରୋଗୀ ଓ ମେଡିକାଲ ଷ୍ଟାଫଙ୍କୁ ବଳପୂର୍ବକ ବାହାର କରାଯାଇଛି । ସେମାନଙ୍କୁ ନାସେର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେଣେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହ ଯୋଗସୂତ୍ରକୁ ଛିନ୍ନ କରିଛି ହମାସ । ସେପଟେ ଅଲ ଶିଫା ହସ୍ପିଟାଲରୁ ଆଉ ଏକ ଟନେଲ ଠାବ କରାଯାଇଛି । ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୧୪ ହଜାର ଲୋକଙ୍କ ମୃତ୍ୟୁ ଘଟିଥିବାବଳେ ସେମାନଙ୍କ ମଧ୍ୟରେ ୪୦ ପ୍ରତିଶତ ଅଛନ୍ତି ଶିଶୁ ।