ନନ୍ଦିଘୋଷ ବ୍ୟୁରୋ: ପ୍ରେମ ପାଇଁ ଦେଲେ ପରୀକ୍ଷା, କରିଲେ ଧର୍ମ ପରିବର୍ତ୍ତନ। ଏଭଳି ଚିତ୍ର ସାମ୍ନାକୁ ଆସିଛି କପ୍ତିପଦା ଥାନା ମାଙ୍କଡ଼ପଡା ପଞ୍ଚାୟତ ମଇଁଷିଡୁବା ଗ୍ରାମରେ।
ଗ୍ରାମର ପାଣ୍ଡୁ ସୋରେନଙ୍କ ପୁଅ ରତନ ସୋରେନ ଭୁବନେଶ୍ୱର ର ଏକ ଘରୋଇ କମ୍ପାନୀରେ ରହି କାମ କରୁଥିଲେ। ସେଠାରେ ଜାନକୀ ହାଁସଦା ନାମକ ଯୁବତୀଙ୍କୁ ପ୍ରେମ କରିଥିଲେ। ପ୍ରେମ ପରେ ଉଭୟ ବିବାହ କରିବାକୁ ମନସ୍ଥ କରି ନିଜ ପ୍ରେମିକାକୁ ସାଙ୍ଗରେ ଧରି ଗାଁ ରେ ପହଞ୍ଚିଥିଲେ ରତନ ସୋରେନ।
ଉଭୟ ପ୍ରେମ କରୁଥିବା ଏବଂ ବିବାହ କରିବାକୁ ମନସ୍ଥ କରିଥିବା ଜାଣିବା ପରେ ପରିବାର ଲୋକେ ପ୍ରେମକୁ ଗ୍ରହଣ କରିଥିଲେ। ହେଲେ ଯୁବତୀଙ୍କ ସହିତ କଥା ହେବା ପରେ ସେ ଅନ୍ୟ ଖ୍ରୀଷ୍ଟିଆନ ଧର୍ମ ର ହୋଇଥିବା ଗ୍ରାମବାସୀ ଜାଣିବାକୁ ପାଇଥିଲେ। ଯାହାକୁ ନେଇ ଗ୍ରାମ ମୁଖିଆ ଏକ ବୈଠକ ଡକାଇଥିଲେ ଏବଂ ବିବାହ କରିବାକୁ ହେଲେ ଧର୍ମ ପରିବର୍ତ୍ତନ କରିବାକୁ ପଡିବ ବୋଲି ନିଷ୍ପତ୍ତି ହୋଇଥିଲା।
ଯାହାକୁ ସ୍ୱୀକାର କରି ନିଜ ଧର୍ମ ପରିବର୍ତ୍ତନ କରି ପୁନଃ ଜନ୍ମ ନେବା ପାଇଁ ସାନ୍ତାଳୀ ପରମ୍ପରା ଅନୁସାରେ ଉଈ ହୁଙ୍କାରେ ପଶିଵା ପରେ ହଳଦୀ ଓ ଗଙ୍ଗା ପାଣିରେ ଗାଧୋଇଥିଲେ, ଚାରି ଗୋଟି କୁକୁଡ଼ା, ଗୋଟିଏ ବୁଦା ଏବଂ ଦୁଇଟି ହାଣ୍ଡିଆ ହାଣ୍ଡି ଦେଇ ଗ୍ରାମ ଠାକୁରଙ୍କୁ ପୂଜା କରି ସାନ୍ତାଳୀ ଧର୍ମରେ ସାମିଲ ହୋଇଥିଲେ। ଏହା ପରେ ଗ୍ରାମରେ ଉଭୟଙ୍କର ବିବାହ ଅନୁଷ୍ଠିତ ହୋଇଥିଲା।

