ଅମରାବତୀ ହତ୍ୟାକାଣ୍ଡର ଚାଞ୍ଚଲ୍ୟକର ଖୁଲାସା, ହତ୍ୟା କରିଛି ବନ୍ଧୁ
ଅମରାବତୀ: ମହାରାଷ୍ଟ୍ର ଅମରାବତୀରେ ପ୍ରାଣ ହରାଇଥିବା ଔଷଧ ଦୋକାନୀ ଉମେଶ କୋଲ୍ହେଙ୍କ ସାନ ଭାଇ ମହେଶ କୋଲ୍ହେଙ୍କ ଚାଞ୍ଚଲ୍ୟକର ବୟାନ । ହତ୍ୟାରେ ସାମିଲ ଅଭିଯୁକ୍ତ ୟୁସୁଫ ଉମେଶଙ୍କ ଅତି ନିକଟତର ବନ୍ଧୁ । ଏପରିକି ଉମେଶଙ୍କ ଅନ୍ତିମ ସଂସ୍କାରରେ ବି ସାମିଲ ହୋଇଥିଲେ ୟୁସୁଫ ।
ଉମେଶ ପଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଔଷଧ କାରବାର କରୁଥିବାବେଳେ ଅଭିଯୁକ୍ତ ୟୁସୁଫ ପଶୁ ଡାକ୍ତରଖାନାରେ କାମ କରୁଥିଲେ । ଏହି କାରଣରୁ ଦୁହେଁ ପରସ୍ପର ସହ ଅଧିକ ସମୟ ବିତାଉଥିଲେ । ଦୁହିଁଙ୍କ ମଧ୍ୟରେ ସମ୍ପର୍କ ପାରିବାରିକ ହୋଇଥିବାରୁ ଉମେଶଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ ୟୁସୁଫ ।
ସେପଟେ ଅଭିଯୁକ୍ତ ୟୁସୁଫର ଆର୍ଥିକ ସ୍ଥିତି ସୁଦୃଢ ନଥିଲା । ଅଧିକାଂଶ ସମୟରେ ୟୁସୁଫକୁ ସାହାଯ୍ୟ କରୁଥିଲେ ଉମେଶ । ମିଳିଥିବା ସୂଚନା ଅନୁସାରେ ୟୁସୁଫଙ୍କ ଉପରେ କରଜ ଭାର ଏକ ଲକ୍ଷ ଟଙ୍କାରୁ ଅଧିକ ହୋଇଯାଇଥିଲା । ଭଉଣୀ ବିବାହ ହେଉକି ପିଲାଙ୍କ ଆଡମିଶନ ସମୟରେ ଉମେଶଙ୍କ ସାହାଯ୍ୟ ନେଉଥିଲେ ୟୁସୁଫ ।
କିନ୍ତୁ କିଛି ଦିନ ପୂର୍ବରୁ ଉମେଶ ଅଜାଣତରେ ଏକ ହ୍ବାଟସ୍ଆପ୍ ଗ୍ରୁପରେ ନୁପୁର ଶର୍ମାଙ୍କ ସମର୍ଥନରେ ଏକ ପୋଷ୍ଟ ସେୟାର କରି ଦେଇଥିଲେ । ଉକ୍ତ ଗ୍ରୁପର ଆଡମିନ୍ ଥିଲେ ୟୁସୁଫ । ସେପଟେ ଭାଇକୁ କ୍ଷମା ମାଗିବା ପାଇଁ ସୁଯୋଗ ମିଳିନଥିଲା ବୋଲି କହିଛନ୍ତି ମହେଶ । ୨୪ ବର୍ଷର ମେଡିସିନ ବ୍ୟବସାୟ ମଧ୍ୟରେ ଉମେଶଙ୍କର କାହା ସହ କୌଣସି ବିବାଦ ନଥିଲା । ତଥାପି ସେ ହତ୍ୟାର ଶିକାର ହେଲେ ବୋଲି ଦୁଃଖପ୍ରକାଶ କରି କହିଛନ୍ତି ପରିବାର ।