ବ୍ୟବସାୟୀଙ୍କ ବଦାନ୍ୟତା; ଅନାଥ ଆଶ୍ରମ ପିଲାଙ୍କୁ ମାଗଣାରେ ଦେଲେ ପୋଷାକ

ନବରଙ୍ଗପୁର: ଧାଡ଼ି ଧାଡ଼ି ହୋଇ ସ୍କୁଲକୁ ଫେରୁଛନ୍ତି ଛାତ୍ରଛାତ୍ରୀ । ଗୋଟିଏ ହାତରେ ଜାତୀୟ ପତାକା ତ ଆଉ ଗୋଟେ ହାତରେ ରଙ୍ଗୀନ ବ୍ୟାଗ୍ । ଆଉ ମୁହଁରେ ମନ ଖୋଲା ହସ । କାରଣ ସେ ରଙ୍ଗୀନ ବ୍ୟାଗ୍‌ରେ ରହିଛି ତାଙ୍କ ମନ ପସନ୍ଦର ପୋଷାକ । ଯାହାକୁ ସେ ନିଜେ ବାଛି ଆଣିଛନ୍ତି । ବଜାର ବୁଲି ନିଜ ମନ ପସନ୍ଦର ପୋଷାକ କିଣିବା ଏହି ଅନାଥ ଆଶ୍ରମର ଛାତ୍ରୀଙ୍କ ପାଇଁ ଏକ ପ୍ରକାର ସ୍ୱପ୍ନ ହୋଇଥିଲେ ବି ଆଜି ତାହା ସତ ହୋଇପାରିଛି । ଆଉ ଏହି ସ୍ୱପ୍ନ ସତ ହେବା ପରେ ଭାବବିହ୍ୱଳ ହୋଇପଡ଼ିଛନ୍ତି ଛାତ୍ରୀ ।

ସାରା ଦେଶ ପାଳୁଛି ସ୍ୱାଧୀନତାର ଅମୃତ ମହୋତ୍ସବ । ହେଲେ ଏହି ମହୋତ୍ସବକୁ ନିଆରା ଢଙ୍ଗରେ ପାଳିଛନ୍ତି ନବରଙ୍ଗପୁର ସ୍ଥିତ ଗାୟତ୍ରୀ କ୍ଳଥ୍‌ ଷ୍ଟାର ମାଲିକ ଶ୍ରୀନିବାସ ସୁବୁଦ୍ଧି । ପଣ୍ଡିତ ଦିନଦୟାଲ ଉପାଧ୍ୟୟ ଅନାଥ ଆଶ୍ରମର ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ମାଗଣା ଡ୍ରେସ ଦେଇଛନ୍ତି । ଛାତ୍ରଛାତ୍ରୀମାନେ ଯେଉଁ ଡ୍ରେସ ପସନ୍ଦ କରି ନେଇଛନ୍ତି ତାହାର ମୂଲ୍ୟ ପ୍ରାୟ ୩୦ ହଜାର ଟଙ୍କା ହେଉଥିଲେ ମଧ୍ୟ ସେ ଏଥିପାଇଁ  ଟଙ୍କାଟିଏ ନେଇନାହାନ୍ତି । ଶ୍ରୀନିବାସଙ୍କ ଏଭଳି କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ସାଧୁବାଦ ଜଣାଇଥିବା ବେଳେ ଜିଲ୍ଲା ୧୦ଟି ଯାକ ବ୍ଳକ୍‌ରେ ଏଭଳି କାର୍ଯ୍ୟକ୍ରମ ହାତ ନିଆଯିବ ବୋଲି କହିଛି ବଣିକ ସଂଘ ।

ଏଥିସହିତ ପଢ଼ନ୍ତୁ: ରଙ୍ଗେଇଲୁଣ୍ଡାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ହଟହଟା, ପତାକା ଉଡ଼ାଇ ନପାରି ଫେରିଗଲେ