ଦିଲ୍ଲୀରେ ଦୟନୀୟ ସ୍ଥିତି, କରୋନାରେ ୪ ପ୍ରବାସୀ ଓଡିଆଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦିନକୁ ଦିନ ଦିଲ୍ଲୀରେ ବଢି ଚାଲିଛି କରୋନା ସଂକ୍ରମଣ । ଏପଟେ ପରିସ୍ଥିତିକୁ ଅଧିକ ଜଟିଳ କରିଛି ମେଡିକାଲରେ ବେଡ ଓ ଅକ୍ସିଜେନ୍ ଅଭାବ । ସମସ୍ତ ଦିଲ୍ଲୀ ବାସୀ ଓ ପ୍ରବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଆତଙ୍କ । ଏହାରି ଭିତରେ ଚାରି ଜଣ ଓଡ଼ିଆଙ୍କ ମଧ୍ୟ ଦିଲ୍ଲୀରେ ମୃତ୍ୟୁ ହୋଇଛି । ଏନେଇ ଦିଲ୍ଲୀରେ ଓଡ଼ିଆଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ସ୍ଥାନୀୟ ସରକାର ପଦକ୍ଷେପ ନେବାକୁ ଦାବି ହୋଇଛି ।

କରୋନା ପାଇଁ ଦିଲ୍ଲୀର ଦୟନୀୟ ପରିସ୍ଥିତି । ଭୂତାଣୁ ଭୟରେ ସବୁଠି ହାହାକାର । ଦେଶର ରାଜଧାନୀରେ ଚାଲି ଗଲା ଚାରି ଚାରି ଜଣ ଓଡ଼ିଆ ପ୍ରବାସୀଙ୍କ ଜୀବନ । ଏହାକୁ ନେଇ ଉଦବେଗ ପ୍ରକାଶ କରିଛି ଦିଲ୍ଲୀ ଓଡ଼ିଆ ମହାମଞ୍ଚ ଏବଂ ବୁଦ୍ଧିଜୀବୀ ସଂଗଠନ । ଏଭଳି ପରିସ୍ଥିତିରେ ଓଡ଼ିଶା ସରକାର ଭଳି ଦିଲ୍ଲୀ ସରକାର ଓଡ଼ିଆଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି ।

ସେପଟେ ସଂକ୍ରମଣ ରୋକିବାକୁ ପୁଣି ଦିଲ୍ଲୀ ସରକାରଙ୍କ ଆଉ ସପ୍ତାହେ ଲକଡାଉନ୍ ନିଷ୍ପତ୍ତି । ଆପ୍ରାଣ ଉଦ୍ୟମ ସତ୍ୱେ ପରିସ୍ଥିତିରେ ସୁଧାର ନ ଆସିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର । ଦିଲ୍ଲୀରେ ଅକ୍ସିଜେନ୍ ଅଭାବ ରହିଛି । ଯଦି ପ୍ରଦୂଷଣ ବଢେ ତାହା ପରିସ୍ଥିତି ଆହୁରି ଅଧିକ ଜଟିଳ କରିବ । ଲକଡାଉନ୍ ହିଁ ଏହାକୁ ରୋକିବାର ଏକ ମାତ୍ର ବିକଳ୍ପ ବୋଲି ଦିଲ୍ଲୀରେ କାର୍ଯ୍ୟରତ ଡାକ୍ତର ନିହାର ପରିଡା ମତ ଦେଇଛନ୍ତି ।

Leave a Reply