ନବ ଦାସ ହତ୍ୟା ମାମଲା, ୪ ଦିନ ପରେ କ୍ରାଇମବ୍ରାଞ୍ଚକୁ ମିଳିଲା ଗୋଟିଏ ଗୁଳି

1 min read

ଝାରସୁଗୁଡ଼ା: ନବକିଶୋର ଦାସ ହତ୍ୟା ମାମଲା । ୪ ଦିନ ପରେ କ୍ରାଇମବ୍ରାଞ୍ଚକୁ ମିଳିଲା ଗୁଳି । ଗତକାଲି ବିଳମ୍ବିତ ରାତିରେ ନବ ଦାସ ବ୍ୟବହାର କରୁଥିବା ଇନୋଭା କାରରୁ ଗୁଳି ଜବତ ହୋଇଥିବା ସୂଚନା ମିଳିଛି । ଏହା ଏକ ବଡ଼ ପ୍ରମାଣ ହେବ ବୋଲି ଆଶା କରାଯାଉଛି । ଜବତ ଗୁଳି ନବ କିଶୋରଙ୍କ ଦେହରେ ବାଜିଥିଲା ନା ନାହିଁ ତାହା ଯାଞ୍ଚ ପାଇଁ ଫରେନ୍ସିକ ଲ୍ୟାବକୁ ପଠାଯାଇଛି । ଫାରୋ ମେସିନ 3D ମେସିନ ସାହାଯ୍ୟରେ ମିଳିଛି ଗୁଳି । ୨ ଦିନ ଧରି କ୍ରାଇମବ୍ରାଞ୍ଚ ଓ ଫରେନ୍ସିକ ଟିମ୍ କାର୍‌ ଯାଞ୍ଚ କରୁଥିଲେ । ଗତକାଲି କାରରୁ ଗୋଟିଏ ଗୁଳି ମିଳିଛି ।

ସେପଟେ ନବକିଶୋର ଦାସଙ୍କ ଇସିଜି ରିପୋର୍ଟ ମଧ୍ୟ ହସ୍ତଗତ ହୋଇଛି । ତେଣେ ଅଭିଯୁକ୍ତ ଗୋପାଳ କହୁଛି ହତ୍ୟା ପଛର ଗୁମର । ରିମାଣ୍ଡର ତୃତୀୟ ଦିନରେ ଅଭିଯୁକ୍ତକୁ ମାରାଥନ ଜେରା କରୁଛି କ୍ରାଇମବ୍ରାଞ୍ଚ । ଜେରା ବେଳେ ଗୋପାଳ ଦେଉଥିବା ତଥ୍ୟର ସତ୍ୟତା ପରଖିବା ସହ ପ୍ରମାଣ ସଂଗ୍ରହ କରୁଛି ତଦନ୍ତକାରୀ ଟିମ୍ । ଗୋପାଳକୃଷ୍ଣର ସ୍ବାସ୍ଥ୍ୟଗତ ରେକର୍ଡ ଓ ଆର୍ଥିକ କାରବାରର ଯାଞ୍ଚ ହେଉଛି । ଗୋପାଳକୃଷ୍ଣର ନିକଟ ସମ୍ପର୍କୀୟଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ । ସେହିପରି ଫରେନସିକ ଲ୍ୟାବକୁ ପଠାଯାଇଛି ମୃତକଙ୍କ ଭିସେରା ରିପୋର୍ଟ । ଅଭିଯୁକ୍ତର ତଥ୍ୟ ଆଧାରରେ ଝାରସୁଗୁଡ଼ା ବିମାନ ବନ୍ଦର ପାଇଖାନା ଟାଙ୍କିରୁ କାଗଜ ଖଣ୍ଡ ଜବତ ହୋଇଛି । ହାତଲେଖା କାଗଜ ଖଣ୍ଡ ଗୁଡିକୁ ପରୀକ୍ଷା ପାଇଁ ଫରେନସିକ ଲ୍ୟାବକୁ ପଠାଯିବ ବୋଲି କହିଛି କ୍ରାଇମବ୍ରାଞ୍ଚ ।