ବିଜେପିରୁ ଇସ୍ତଫା ଦେଲେ ଗିରିଧର ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ

1 min read

ଭୁବନେଶ୍ୱର: ବିଜେପି ଛାଡ଼ିଲେ ଗିରିଧର ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ଥଫା ପ୍ରଦାନ କରିଛନ୍ତି ଗିରିଧର ଗମାଙ୍ଗ । ସେ ନିଜର ଇସ୍ତଫା ପତ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିକଟକୁ ପଠାଇଛନ୍ତି । ଇସ୍ତଫା ପରେ ଏବେ ବିଆରଏସରେ ମିଶିବେ ଗମାଙ୍ଗ ବାପ-ପୁଅ । ବିଜେପି ମତେ ଅପମାନିତ କରିଛି । ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଜାଣିଶୁଣି ଦଳ ତାଙ୍କୁ ଦୁରେଇଥିଲା । ବାଧ୍ୟହୋଇ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛି ବୋଲି କହିଛନ୍ତି ବିଜେପିର ପୂର୍ବତନ ବରିଷ୍ଠ ନେତା ଗିରିଧର ଗମାଙ୍ଗ ।

2015 ମସିହାରେ କଂଗ୍ରେସ ଛାଡି ବିଜେପିରେ ଯୋଗଦାନ କରିଥିଲେ ଗିରିଧର ଗମାଙ୍ଗ ଏବଂ ଶିଶିର ଗମାଙ୍ଗ । ୨୦୧୫ରେ ବିଜେପିରେ ଯୋଗ ଦେବା ବେଳକୁ ଯାହା ଥିଲା ଏବେ ତାହା ନାହିଁ । ବିଜେପି ସଂଗଠନ କାଗଜ କଲମରେ ଚାଲିଛି । ଏଥିପାଇଁ ଇସ୍ତଫା ଦେଇଥିବା ଗିରିଧର କହିଛନ୍ତି । ସେହିପରି ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଥିବା ପୁଅ ଶିଶିର ଗମାଙ୍ଗ ମଧ୍ୟ ଇସ୍ତଫା ଦେଇଛନ୍ତି । ଦଳ ଛାଡିବା ପରେ ଶିଶିର ଗମାଙ୍ଗ ବିଜେପି ଉପରେ ବର୍ଷିଛନ୍ତି । ୨୦୧୫ରେ ଯୋଗଦେବା ପରେ ଶିଶିରଙ୍କୁ ଦଳ ସାଂସଦ ପ୍ରାର୍ଥୀ କରିବ ବୋଲି କହିଥିଲା ।

ହେଲେ ଗୁଣୁପୁର ବିଧାନସଭା ନିର୍ବାଚନ ଲଢ଼ିବାକୁ କହିଥିଲେ । ବିଜେପିର ସଂଗଠନ ଠିକ୍ ନଥିଲା । ଦକ୍ଷିଣ ଓଡ଼ିଶାର ଜଣେ ନେତା ତାଙ୍କୁ ହଇରାଣ କରୁଥିଲେ । କେନ୍ଦ୍ର ମନ୍ତ୍ରୀଙ୍କୁ ଜଣାଇଥିଲେ ଶିଶିର ଗମାଙ୍ଗ । ବିଆରଏସ ଲାଗି ଓଡ଼ିଶାରେ ସୁଯୋଗ ରହିଛି । ବିରୋଧୀ ଦଳ ଓଡ଼ିଶାରେ ସଠିକ ଭାବେ କାମ କରୁନଥିବାରୁ ଆମେ ବିଆରଏସରେ ମିଶିବୁ ବୋଲି ଉଭୟ କହିଛନ୍ତି । ପୂର୍ବରୁ ବି.ଆର୍‌.ଏସ ମୁଖ୍ୟ ତଥା ତେଲଙ୍ଗାନା ମୁଖ୍ୟମନ୍ତ୍ରୀଙ୍କଠାରୁ ନିମନ୍ତ୍ରଣ ପାଇ ଉଭୟ ତାଙ୍କ ଦଳରେ ସାମିଲ ହେବାକୁ ଆଲୋଚନା କରିଥିଲେ ।