ଦୁଇ ମାସରେ ଦୁଇ କ୍ରିକେଟରଙ୍କୁ ହରାଇଲା କ୍ରିକେଟ ଜଗତ

1 min read

କ୍ରୀଡା ଜଗତରୁ ଆସିଛି ଦୁଃଖଦ ଖବର । ଅଷ୍ଟ୍ରେଲିଆ କ୍ରିକେଟ ଜଗତ ଏବେ ଭାବବିହ୍ୱଳ ହୋଇଯାଇଛି । କାରଣ ଦେଶ ଏବେ ତାର ଜଣେ ଦିଗ୍ଗଜ କ୍ରିକେଟରକୁ ହରାଇଛି । ଦୁଇ ମାସ ଭିତରେ ଦୁଇ କିମ୍ବଦନ୍ତୀ କ୍ରିକେଟରଙ୍କୁ ହରାଇବା ପରେ କ୍ରିକେଟ ପ୍ରଶଂସକମାନେ ମର୍ମାହତ ହୋଇଛନ୍ତି । ଏହି ମହାନ କ୍ରିକେଟରଙ୍କ ବିୟୋଗ କ୍ରିକେଟ ଜଗତ ପାଇଁ ବି ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି । ଆଣ୍ଡ୍ର୍ୟୁ ସାଇମଣ୍ଡସଙ୍କ ଅକାଳ ବିୟୋଗ କ୍ରିକେଟ ଜଗତକୁ ଶକ୍ତ ଧକ୍କା ଦେଇଛି । ଗତ ମାର୍ଚ୍ଚ ୪ ତାରିଖରେ ମହାନ ଲେଗ୍ ସ୍ପିନର ସେନ ୱାର୍ଣ୍ଣଙ୍କର ପରଲୋକ ହୋଇଥିଲା । ହୃଦଘାତରେ ପ୍ରାଣ ହରାଇଥିଲେ ସେନ୍ ୱାର୍ଣ୍ଣ । ଏବେ ସଡକ ଦୁର୍ଘଟଣାରେ ସାଇମଣ୍ଡଙ୍କ ମୃତ୍ୟୁ ସମସ୍ତଙ୍କୁ ମର୍ମାହତ କରିଛି ।

ସୂଚନା ଅନୁଯାୟୀ, ଶନିବାର ରାତିରେ ଟାଉନ୍ସିଭାଲେରେ ଏକ କାର ଦୁର୍ଘଟଣାରେ ଆଣ୍ଡ୍ରିୟୁ ସାଇମଣ୍ଡଙ୍କ ମୃତ୍ୟୁ ହୋଇଛି। ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରାଯାଇଥିଲା, କିନ୍ତୁ ସମସ୍ତ ଉଦ୍ୟମ ବିଫଳ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା । ସାଇମଣ୍ଡଙ୍କୁ ବଞ୍ଚାଇବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଇଥିଲା, କିନ୍ତୁ ଏହା ବିଫଳ ହୋଇଥିଲା।

ପୋଲିସର କହିବା ଅନୁସାରେ ଦୁର୍ଘଟଣା ଅତି ଭୟଙ୍କର ଥିଲା । ପୂର୍ବତନ କ୍ରିକେଟରଙ୍କ ଶରୀରରେ ଗଭୀର କ୍ଷତ ପହଞ୍ଚିଥିଲା । ସହର ଠାରୁ ପାଖାପାଖି ୫୦ କିଲୋମିଟର ଭେଷ୍ଟର ହର୍ଭେ ରେଞ୍ଜରେ ରାତି ପ୍ରାୟ ୧୦ଟା ୩୦ରେ ସାଇମଣ୍ଡ ଦୁର୍ଘଟଣାର ସାମ୍ନା କରିଥିଲେ । ଦୁର୍ଘଟଣା ସଂପର୍କିତ ସୂଚନା ମିଳିବା ପରେ ପୋଲିସ ତୁରନ୍ତ ପହଞ୍ଚିଥିଲା । ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ଆପଣଙ୍କୁ କହି ରଖୁଛୁ ଯେ, ଆଣ୍ଡ୍ରୁ ସାଇମଣ୍ଡ ଅଷ୍ଟ୍ରେଲିଆ ପାଇଁ ୨୬ଟି ଟେଷ୍ଟ, ୧୯୮ଟି ଦିନିକିଆ ଓ ୧୨ଟି ଟି-୨୦ ମ୍ୟାଚ ଖେଳିଥିଲେ । ସେ ୨୦୦୩ ଓ ୨୦୦୭ରେ ଅଷ୍ଟ୍ରେଲିଆର ବିଶ୍ୱକପ ବିଜୟରେ ବଡ଼ ଭୂମିକା ନେଇଥିଲେ ।

ତେବେ ଦୁଇ ଖେଳାଳୀଙ୍କ ଯୋଡି ବେସ ଚର୍ଚ୍ଚିତ ଥିଲା । ଆଉ ଏବେ ସେମାନଙ୍କ ଆବର୍ତ୍ତମାନରେ ସେମାନଙ୍କୁ ଝୁରୁଛନ୍ତି ସମସ୍ତେ । ସୋସିଆଲ ମିଡିଆରେ ସେମାନଙ୍କର ପଡିଆରେ ବିତିଥିବା ଦିନର ସ୍ମୃତିଭିଜା ଫଟୋ ଭାଇରାଲ ହେଉଛି ।