ମାଆ ଲକ୍ଷ୍ମୀଙ୍କ ପାଖରେ ହାତୀଦାନ୍ତ ପୂଜା ପରେ ବିକ୍ରି ଯୋଜନା ଚାଲିଥିବା ବେଳେ ମାଡି ବସିଲା ବନ ବିଭାଗ

କପ୍ତିପଦା: ହାତୀ ଶିକାର କରି ଦାନ୍ତ ତାଢ଼ି ନେଲେ । ଆଉ ବିକ୍ରି କରିବା ପୂର୍ବରୁ ମାତା ଲକ୍ଷ୍ମୀଙ୍କ ପାଖରେ ହାତୀଦାନ୍ତ ରଖି କରୁଥିଲେ ପୂଜାର୍ଚ୍ଚନା । ଏହି ସମୟରେ ରେଡ୍ ମାରିଲା ବନ ବିଭାଗ । ଆଉ ଜାଲରେ ପଡ଼ିଲେ ଶିକାରୀ । ଏମିତି ଘଟଣା ଘଟିଛି କପ୍ତିପଦା ଥାନା ବିଦ୍ୟାଧର ନଗର ଅଞ୍ଚଳରେ । ଲକ୍ଷ୍ମୀଙ୍କ ଫଟୋ ସାମନାରେ କଦଳୀ ପତ୍ରରେ ହାତୀ ଦାନ୍ତ ରଖି ପୂଜାର୍ଚ୍ଚନା କରିବା ସହ ବିକ୍ରି ପାଇଁ ଯୋଜନା କରୁଥିବା ବେଳେ ଚଢ଼ାଉ କଲା ବନ ବିଭାଗ ।

ହାତୀ ଦାନ୍ତ ବିକ୍ରିର ମାଷ୍ଟରମାଇଣ୍ଡ ସାଜିଥିଲେ  ଜିଓ ଟ୍ୟାଗ ଅଧିକାରୀ ନିରଞ୍ଜନ ବେହେରା । ହାତୀ ଦାନ୍ତ ବିକ୍ରି ନିମନ୍ତେ ପୂଜାର୍ଚ୍ଚନା ଚାଲିଥିବା ବେଳେ କପ୍ତିପଦା ଓ ଉଦଳା ବନ ବିଭାଗ ସହିତ ଟାସ୍କଫୋର୍ସ ଟିମ ମିଳିତ ଭାବେ ଚଢାଉ କରିଥିଲେ । ମୁଖ୍ଯ ଅଭିଯୁକ୍ତ ନିରଞ୍ଜନ ବେହେରା ସମେତ ୭ ଜଣଙ୍କୁ ଗିରଫ କରାଯିବା ସହ ୫ଟି ହାତୀ ଦାନ୍ତ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ୪ ଜଣ ମୟୂରଭଞ୍ଜ କପ୍ତିପଦା ଏବଂ ଉଦଳା ଅଞ୍ଚଳର ହୋଇଥିବା ବେଳେ ଦାନ୍ତ କିଣିବାକୁ ଆସିଥିବା ଯୁବକମାନେ ବାଲେଶ୍ୱର ଅଞ୍ଚଳର ବୋଲି ସୂଚନା ମିଳିଛି । ରାକେଟର ରାଜ୍ଯ ବାହାରେ ଲିଙ୍କ ରହିଛି କି ନାହିଁ ସେନେଇ ତଦନ୍ତ କରାଯାଉଛି । ଅଭିଯୁକ୍ତମାନେ ୪ ବର୍ଷ ହେଲା ହାତୀଦାନ୍ତ ବେପାର କରୁଥିବା ଜଣାପଡ଼ିଛି ।