ରାସ୍ତାକଡ଼ରେ ଆଉ ଭିକ ମାଗିବେନି ଶିଶୁ

ଭୁବନେଶ୍ବର: ରାସ୍ତାକଡ଼ରେ ଅସୁରକ୍ଷିତ ଅବସ୍ଥାରେ ଲକ୍ଷ ଲକ୍ଷ ଶିଶୁ । ସିଧାସଳଖ ପ୍ରଭାବିତ ହେଉଛି ଶିଶୁଙ୍କ ସାମ୍ବିଧାନିକ ଅଧିକାର ଓ ସାମାଜିକ ସୁରକ୍ଷା । ଦେଶରେ ପ୍ରାୟ ୧୫ ଲକ୍ଷ ଶିଶୁ ରାସ୍ତାକଡ଼ରେ ଜୀବନ ବିତାଉଛନ୍ତି । ବସଷ୍ଟାଣ୍ଡ, ରେଳ ଷ୍ଟେସନ, ପର୍ଯ୍ୟଟନ ସ୍ଥଳ ଓ ପ୍ରମୁଖ ଟ୍ରାଫିକ ଛକରେ ଭିକ୍ଷାବୃତ୍ତି କାର୍ଯ୍ୟରେ ନିୟୋଜିତ ହେଉଛନ୍ତି ଏହି ପିଲାମାନେ । ଯାହାକୁ ନେଇ ସୁପ୍ରିମକୋର୍ଟ ଓ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଉଦବେଗ ପ୍ରକାଶ କରିବା ସହ ରାଜ୍ୟସ୍ତରରେ ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ କରି ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଗଠନ ପାଇଁ ଭୁବନେଶ୍ବରରେ ସ୍ବତନ୍ତ୍ର କର୍ମଶାଳା ଉଦଘାଟିତ ହୋଇଛି । କାର୍ଯ୍ୟକ୍ରମରେ ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାସ୍ତା କଡ଼ରେ ଥିବା ଶିଶୁଙ୍କୁ ଚିହ୍ନଟ କରି ଉପଯୁକ୍ତ ଥଇଥାନ ଉପରେ ଗୁରୁତ୍ବ ଦେଇଛନ୍ତି ।

ସୂଚନାଯୋଗ୍ୟ, ଶିଶୁଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ସ୍ଥାନ ଶୀର୍ଷରେ ରହିଛି । ରାଜ୍ୟ ସରକାର ଏଥିପାଇଁ ସ୍ବତନ୍ତ୍ର ଗାଇଡ଼ଲାଇନ ଜାରି କରିବା ସହ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ବସ୍ତିକୁ ଚାଲ ଅଭିଯାନରେ ଟ୍ଵିନସିଟିରେ ସଚେତନତା କରାଯାଉଛି । ସେହିଭଳି ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ରୋକିବାକୁ ଅନେକ ପଦକ୍ଷେପ ନିଆଯାଉଛି । ୨୦୨୫ ସୁଦ୍ଧା ଓଡିଶାକୁ ଶିଶୁ ଶ୍ରମିକ ମୁକ୍ତ ରାଜ୍ୟ ଭାବେ ପରିଗଣିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ବିଭିନ୍ନ ବିଭାଗ ସମେତ ସ୍ବେଛାସେବୀ ସଂଗଠନ ମଧ୍ୟରେ ସମନ୍ବୟ ରକ୍ଷା କରି କାର୍ଯ୍ୟକୁ ସଫଳ ରୂପାୟନ କରିବା ଜରୁରୀ ବୋଲି କର୍ମଶାଳାରେ ମତ ପ୍ରକାଶ ପାଇଛି ।