ମୁଣ୍ଡଳୀରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ

ଭୁବନେଶ୍ୱର: ମୁଣ୍ଡଳୀରେ ବଢିଛି ଜଳସ୍ତର । ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ । ଏବେ ମୁଣ୍ଡଳୀରେ ୧୧ ଲକ୍ଷ ୬୦ ହଜାର କ୍ୟୁସେକ ପାଣି ପାସ କରୁଛି । ଆଗକୁ ଏହା ୧୦ରୁ୨୦ ହଜାର କ୍ୟୁସେକ ବଢ଼ିପାରେ ବୋଲି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ପଥରଲା, ଖଇରମାଳ, ବରମୂଳରେ ଏବେ ଜଳ ପ୍ରବାହ କମିଛି ।

ତେଲ ନଦୀରେ ଜଳପ୍ରବାହ କମିବା ଆରମ୍ଭ କରିଛି । କିଛି ସ୍ଥାନରେ ଘଳିଆ ହୋଇଛି । ତାହାର ଆବଶ୍ୟକ ପଦକ୍ଷେପ ନିଆଯାଉଛି । ସେପଟେ ହୀରାକୁଦର ଜଳସ୍ତର ବଢୁଛି । ଅପରାହ୍ନରେ ଗେଟ ଖୋଲିବା ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର । ହୀରାକୁଦ ପାଣି ଛାଡିବା ପରେ ବଢୁଛି ବିଭିନ୍ନ ନଦୀର ଜଳସ୍ତର । ମହାନଦୀରେ ଆସିଛି ବନ୍ୟା ।

ବିଭିନ୍ନ ସ୍ଥାନରେ ପାଣି ପଶିବା ଆରମ୍ଭ କଲାଣି । ମୁଣ୍ଡଳୀରେ ବିପଦ ସଙ୍କେତ ଟପିଛି ମହାନଦୀ । ଏଠାରୁ ୧୧ ଲକ୍ଷ ୬୦ ହଜାର ୯୦୦ କ୍ୟୁସେକ ପାଣି ପ୍ରବାହିତ ହେଉଛି । ସେହିପରି ନରାଜରୁ କାଠଯୋଡିକୁ ୫ ଲକ୍ଷ ୬୬ ହଜାର ୪୬୦ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଯୋବ୍ରାରେ ମହାନଦୀକୁ ୫ ଲକ୍ଷ ୫୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି ସେହିପରି । ମହାନଦୀ ମୁଣ୍ଡଳୀର ଉପର ମୁଣ୍ଡ ଜଳସ୍ତର ୯୭ ଦଶମିକ ୨୦ ଫୁଟ ରହିଛି । ଏଠାରେ ବିପଦ ସଙ୍କେତ ୯୭ ଦଶମିକ ୨୫ ଫୁଟ । ସେହିପରି ଯୋବ୍ରାଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ମହାନଦୀ । ଏଠାରେ ବିପଦ ସଂକେତ ୨୧ ଦଶମିକ ୯୪ ମିଟର ଥିବା ବେଳେ, ୨୨ ମିଟର ରହିଛି ଜଳସ୍ତର ।