spot_img

Latest Posts

ବର୍ଷା ଓ ବନ୍ୟାରେ ଭାସୁଛି ଉତ୍ତର ପୂର୍ବାଞ୍ଚଳ । ୩୨ରୁ ଅଧିକ ଲୋକ ମୃତ, ଲକ୍ଷାଧିକ ପ୍ରଭାବିତ

ନନ୍ଦିଘୋଷ ବ୍ୟୁରୋ : ବର୍ଷା ଓ ବନ୍ୟାରେ ଭାସୁଛି ଦେଶର ଉତ୍ତର ପୂର୍ବାଞ୍ଚଳ । ୩୨ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ହଜାର ହଜାର ଲୋକ ବାସହରା ହୋଇଛନ୍ତି। ଆସାମ, ଅରୁଣାଚଳ ପ୍ରଦେଶ, ମଣିପୁର, ମିଜୋରମ ସବୁଠି ପ୍ରବଳ ବର୍ଷା ଓ ବନ୍ୟା। ଗାଁରୁ ସହର ସବୁ ଯେମିତି ଭାସୁଛି। ଆସାମର ଦିବ୍ରୁଗଡ଼, ଗୁଆହାଟୀ ସହରରେ ପ୍ରବେଶ କରିଛି ବ୍ରହ୍ମପୁତ୍ର ନଦୀର ପାଣି। ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମଣିପୁରରେ ମଧ୍ୟ ସମାନ ସ୍ଥିତି। କିଛି ଦିନ ହେଲାଣି ଉତ୍ତର ପୂର୍ବାଞ୍ଚଳରେ ଜାରି ରହିଛି ମୂଷଳଧାରା ବର୍ଷା। ଆହୁରି ବର୍ଷା ହେବାର ସମ୍ଭାବନା ଥିବାରୁ କର୍ତ୍ତୃପକ୍ଷ ସମଗ୍ର ଅଞ୍ଚଳରେ ସତର୍କତା ଜାରି କରିଛନ୍ତି। ସିକିମରେ ପ୍ରବଳ ବର୍ଷାରେ ଏକ ପୋଲ ଧୋଇ ଯାଇଛି। ମଣିପୁରରେ ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ ରାଜଧାନୀ ଇମ୍ଫାଲରେ ଦୈନନ୍ଦିନ ଜୀବନ ଠପ୍ ହୋଇଯାଇଛି। ସହରର ବିଭିନ୍ନ ସ୍ଥାନରୁ ଜଳବନ୍ଦୀ ହୋଇଥିବା ଖବର ମିଳିଛି, ଯାହା ଫଳରେ କର୍ତ୍ତୃପକ୍ଷ ବନ୍ୟା ଚେତାବନୀ ଜାରି କରିଛନ୍ତି ଏବଂ ଇମ୍ଫାଲ ନଦୀର ବନ୍ୟା କୂଳରେ ରହୁଥିବା ବାସିନ୍ଦାଙ୍କୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛନ୍ତି। ଅବିରତ ବର୍ଷା ଯୋଗୁଁ ଭୂସ୍ଖଳନ ହେବାରୁ ସିକିମର ପ୍ରମୁଖ ରାସ୍ତା ଅବରୋଧ ହୋଇଛି। ତେଣୁ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି ୧୫୦୦ ପର୍ଯ୍ୟଟକ। ମାଙ୍ଗାନ ଜିଲ୍ଲାରେ ଏକ ଗାଡ଼ି ତିସ୍ତା ନଦୀକୁ ଖସି ପଡ଼ିବାରୁ ୮ ଜଣ ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜାଖୋଜି ଚାଲିଛି। ସେମାନଙ୍କ ମଧ୍ୟରେ କିଛି ଓଡ଼ିଆ ବି ଅଛନ୍ତି। କିନ୍ତୁ ତିସ୍ତା ନଦୀର ଜଳସ୍ତର ଅଧିକ ଥିବାରୁ ଅପରେସନରେ ବାଧା ଉପୁଜିଛି। ଆସାମରେ, ବନ୍ୟା ଏବଂ ଭୂସ୍ଖଳନର ମୋଟ ୧୭ଟି ଜିଲ୍ଲା ପ୍ରଭାବିତ ହୋଇଛି ଏବଂ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଲୋକଙ୍କୁ ରିଲିଫ କ୍ୟାମ୍ପରେ ରଖାଯାଇଛି। ପ୍ରଭାବିତ ଆସାମରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜୋରଦାର ହୋଇଛି। NDRF, SDRF, ପୋଲିସ ଏବଂ ଅଗ୍ନିଶମ ସେବା ଟିମ୍ ଲୋକଙ୍କୁ ଉଦ୍ଧାର କରିଛନ୍ତି। ପ୍ରବଳ ବର୍ଷା ପବନ ଯୋଗୁଁ ଗୁଆହାଟୀର ବିମାନ ଚଳାଚଳ ବି ପ୍ରଭାବିତ ହୋଇଥିଲା।

Latest Posts

Don't Miss