ଫୁଲିଲାଣି ମହାନଦୀ, ଆସିପାରେ ବଡ ବନ୍ୟା

1 min read

ଭୁବନେଶ୍ବର: ପ୍ରବଳ ବର୍ଷା ଯୋଗୁଁ ରାଜ୍ୟରେ ଆସିପାରେ ବନ୍ୟା । ମହାନଦୀରେ ବଢୁଛି ବନ୍ୟା ଆଶଙ୍କା । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦକୁ ବଢିଛି ଜଳ ପ୍ରବାହ । 20ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି । ମହାନଦୀ ଫୁଲୁଥିବାରୁ ସତର୍କ କରିଛି ପ୍ରଶାସନ । ଡାକବାଜି ଯୋଗେ ଲୋକଙ୍କୁ ସଚେତନ କରାଯାଉଛି ।

ତଳି ଅଞ୍ଚଳକୁ ଜଳ ପ୍ରବାହ ତୀବ୍ର ଥିବାରୁ ନଦୀକୁ ନଯିବାକୁ ପରାମର୍ଶ ଦେଇଛି ସମ୍ବଲପୁର ପ୍ରଶାସନ । ଆବଶ୍ୟକସ୍ଥଳେ ଲୋକଙ୍କୁ ସ୍ଥାନାନ୍ତର କରାଯିବାକୁ ଯୋଜନା କରାଯାଇଛି । ତେବେ ଜଳଭଣ୍ଡାରର ଜଳସ୍ତର ଏବେ ନିୟନ୍ତ୍ରଣରେ ରହିଛି । ମହାନଦୀ ଓ ଜଳକା ନଦୀର ଜଳସ୍ତର ବଢିବାରେ ଲାଗିଛି ।

ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ପୁଣି ବଢ଼ିଲା ହୀରାକୁଦର ଜଳସ୍ତର । ବର୍ତ୍ତମାନ ଜଳଭଣ୍ଡାରକୁ ୪ ଲକ୍ଷ ୩୯ ହଜାର ଘଟଫୁଟ ଜଳ ପ୍ରବେଶ କରୁଥିବା ବେଳେ, ୨୦ଟି ଗେଟ ଦେଇ ୩ ଲକ୍ଷ ୪୮ ହଜାର ୭୬୦ ଘନଫୁଟ ଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୧୬ ଦଶମିକ ୭୩ ଫୁଟରେ ପହଞ୍ଚିଛି । ଆବଶ୍ୟକ ହେଲେ ଅଧିକ ଗେଟ୍ ଖୋଲାଯିବାର ସମ୍ଭାବନା ରହିଛି ।

ଦେବୀ, ଇବ, ବ୍ରାହ୍ମଣୀ, ବୈତରଣୀ, ବୁଢାବଳଙ୍ଗ, ସୁବର୍ଣ୍ଣରେଖାରେ ମଧ୍ୟ ବଢୁଛି ଜଳସ୍ତର । ଫଳରେ ଲଘୁଚାପ ପରେ ବଡ ବନ୍ୟା ଆସିବା ସମ୍ଭାବନା ଦେଖାଦେଇଛି । ଏନେଇ ସଜାଗ ସହ ଆଗୁଆ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଏସଆରସି ଚିଠି ଲେଖିଛନ୍ତି । ସେପଟେ ଆଜିଠୁ ୧୫ ତାରିଖ ଯାଏ ବିଭିନ୍ନ ଜିଲ୍ଲାରେ ଝଡ-ପବନ ହେବା ସମ୍ଭାବନା ରହିଛି । ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।