ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି: ସୁନ୍ଦରଗଡ଼, ମୟୂରଭଞ୍ଜ ଓ ବାଲେଶ୍ଵରର ଅନେକ ଗାଁ ଜଳବନ୍ଦୀ

ନନ୍ଦିଘୋଷ ବ୍ୟୁରୋ: ଉତ୍ତର ଓଡ଼ିଶାର ପ୍ରମୁଖ ନଦୀରେ ଜଳସ୍ତର ବଢୁଛି । ବ୍ରାହ୍ମଣୀ, ସୁବର୍ଣ୍ଣରେଖା, ଇବ୍ ନଦୀ ଫୁଲୁଛନ୍ତି । ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ଏହି ସବୁ ନଦୀ କୂଳ ଲଙ୍ଘିବାରେ ଲାଗିଛନ୍ତି । ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ଵର ଜିଲ୍ଲାରେ ଦେଖାଦେଇଛି ବନ୍ୟା ସ୍ଥିତି । ତଳିଆ ଅଞ୍ଚଳରେ ପାଣି ପ୍ରବେଶ କରିଥିବାରୁ ଲୋକେ ଚିନ୍ତାରେ ପଡ଼ିଲେଣି ।

ଲଘୁଚାପ ବର୍ଷା ଓ ଝାଡ଼ଖଣ୍ଡର ଚାଣ୍ଡିଲ ଡ୍ୟାମର ଗେଟ୍ ଖୋଲିବାରୁ ସୁବର୍ଣ୍ଣରେଖାର ଜଳସ୍ତର ବଢିଛି । ଗଲୁଡିହି ବ୍ୟାରେଜରୁ ଛଡ଼ା ଯାଇଛି ୨ ଲକ୍ଷ ୪୨ ହଜାର କ୍ୟୁସେକ ପାଣି । ସୁବର୍ଣ୍ଣରେଖାର ପାଣିରେ ଜଳବନ୍ଦୀ ମୟୂରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକର ଅନେକ ଗାଁ । ଏହା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ । ନଦୀର ଜଳସ୍ତର ବଢ଼ିବା ପରେ ପ୍ରାୟ ହଜାରେ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଛି । ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପି ସ୍ଥିତି ସମୀକ୍ଷା କରିଛନ୍ତି । ସାରସକଣା ବିଡିଓ ଏବଂ ଏଡିଏମ୍ ମଧ୍ୟ ସ୍ଥିତିର ତଦାରଖ କରିଛନ୍ତି । ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ଏନଡିଆରଏଫ୍, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ମୁତୟନ ହୋଇଛନ୍ତି । ସ୍ଥାନ୍ତାର ହୋଇଥିବା ଲୋକଙ୍କୁ ଖାଦ୍ୟ ପ୍ରଦାନ କରାଯାଇଛି ।

ବାଲେଶ୍ଵର ରାଜଘାଟରେ ବିପଦ ସଂକେତ ଟପିଛି ସୁବର୍ଣ୍ଣରେଖା । ଏଠାରେ ବିପଦ ସଂକେତ ୧୦.୩୬ ମିଟର ରହିଥିବା ବେଳେ ସୁବର୍ଣ୍ଣରେଖାର ଜଳସ୍ତର ରହିଛି ୧୦.୪୩ ମିଟର । ରାଜଘାଟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ, ଏସପି ଓ ଅନ୍ୟ ଅଧିକାରୀ । ସୁବର୍ଣ୍ଣରେଖାରେ ବନ୍ୟା ପାଣି ଆସିବାରୁ ଦହମୁଣ୍ଡା ନିକଟରେ ଅନେକ ମାଙ୍କଡ଼ ଫସି ରହିଥିଲେ । ଚାରିଆଡ଼େ ପାଣି ଥିବାରୁ ସେମାନେ ସ୍ଥଳଭାଗକୁ ଆସିପାରି ନଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇଛି ।

ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ କେତେକ ସ୍ଥାନରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ହଠାତ ବଢ଼ିଛି ଇବ୍ ନଦୀର ଜଳସ୍ତର । ଭଷ୍ମା ଥାନା କୁଡ଼ାବଗା ନିକଟରେ ଏକ ଟାପୁରେ ଜଣେ ଯୁବକ ଫସି ଯାଇଥିଲେ । ବ୍ୟାରେଜରେ ସେ ଜଗୁଆଳି ଭାବେ କାମ କରନ୍ତି । ଅଗ୍ନିଶମ କର୍ମଚାରୀ ତାଙ୍କୁ ଉଦ୍ଧାର କରିଛି ।

ଲଗାଣ ବର୍ଷା ଯୋଗୁଁ ରାଉରକେଲାର କେତେକ ଅଞ୍ଚଳରେ ବ୍ରାହ୍ମଣୀ ନଦୀର ପାଣି ପଶିଛି । ଉପର ମୁଣ୍ଡରେ ବର୍ଷା ଯୋଗୁଁ ମନ୍ଦିରା ଡ୍ୟାମର ୧୧ଟି ଗେଟରୁ ୭ଟି ଗେଟ୍ ଖୋଲାଯାଇଛି । ମନ୍ଦିରା ଡ୍ୟାମର ଜଳସ୍ତର ୬୮୬.୮ ଫୁଟ ରହିଛି । ୭ଟି ଗେଟ୍ ଖୋଲା ଯିବା ପରେ ବଢ଼ିଛି ବ୍ରାହ୍ମଣୀ ନଦୀର ଜଳସ୍ତର । ବାଲୁଘାଟ ବସ୍ତିରେ ବ୍ରାହ୍ମଣୀ ପାଣିରେ ଜଳବନ୍ଦୀ ହୋଇଛନ୍ତି ୨୦ରୁ ଅଧିକ ଘର ।

ସେପଟେ ମୂଷଳଧାରାରେ ବର୍ଷା ଯୋଗୁଁ ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଜିଲ୍ଲାରେ ଦେଖାଦେଇଛି ବନ୍ୟା ପରିସ୍ଥିତି । ଝାଡ଼ଗ୍ରାମ ଜିଲ୍ଲାରେ ଅନେକ ଅଞ୍ଚଳ ଜଳବନ୍ଦୀ । ଅନେକ ନଦୀର ଜଳସ୍ତର ବଢ଼ିଛି । ପୋଲ ଉପରେ ଚାଲୁଛି ପାଣି । ୧୫ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ହେକ୍ଟର ହେକ୍ଟର ଚାଷ ଜମି ବନ୍ୟାପାଣିରେ ବୁଡ଼ିଛି ।

ନଜର ପକାନ୍ତୁ