ଫୁଲୁଛି ଗୋଦାବରୀ, ବୁଡୁଛି ମାଲକାନଗିରି

ମାଲକାନଗିରି: ଗୋଦାବରୀର ପଛୁଆ ପାଣି ଯୋଗୁଁ ମାଲକାନଗିରିର ମୋଟୁରେ ସଙ୍ଗୀନ ସ୍ଥିତି। ମୋଟୁ ବ୍ଲକରେ ପଶିଲା ଗୋଦାବରୀ ବନ୍ୟାଜଳ  । ଜଳସ୍ତର ବଢୁଥିବାରୁ ମୋଟୁର ବିଭିନ୍ନ ଅଞ୍ଚଳ ହୋଇଛି ଜଳମଗ୍ନ । ମୋଟୁ ଗ୍ରାମର ଅଧିକାଂଶ ଅଞ୍ଚଳ ପାଣିରେ ବୁଡି ରହିଛି । ଗତ ୪ ଦିନ ଧରି ମାଲକାନଗିରିରେ ଲଗାଣ ବର୍ଷା ଜାରି ରହିଛି । ଗୋଦାବରୀର ପଛୁଆ ପାଣି ଯୋଗୁଁ ଶାଖା ନଦୀ ସାବରୀ ଓ ସିଲେରୁରେ ଜଳସ୍ତର ବଢି ଏହାର ଆଖପାଖ ଅଞ୍ଚଳ ଜଲମଗ୍ନ ହୋଇଛି ।

ମାଲକାନଗିରି ପ୍ରଶାସନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ପ୍ରଭାବିତଙ୍କୁ ରିଲିଫ କ୍ୟାମ୍ପରେ ଥଇଥାନ କରିଛି । ଜିଲ୍ଲାପାଳ ବିଶାଲ ସିଂ ମୋଟୁ, କାଲିମେଳା ଏବଂ ପଡିଆ ବ୍ଲକ ଗସ୍ତ କରି ପ୍ରଭାବିତଙ୍କ ପାଇଁ ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି  । ବିନାୟକପୁର, ଆଲମା ଓ ପେଟା ତିନୋଟି ଗାଁ ବବନ୍ୟାଜଳରେ ବୁଡି ଯାଇଥିବା ଜଣାପଡିଛି  ।

ପୋଲାଭରମ ପ୍ରକଳ୍ପ ଯୋଗୁଁ ଗୋଦାବରୀ ନଦୀରେ ବନ୍ୟା ଆସିଛି ।  ତିନି ନଦୀର ସଙ୍ଗମ ସ୍ଥଳ ମୁଗି ପଏଣ୍ଟ ସମ୍ପୂର୍ଣ୍ଣ ବୁଡି ଯାଇଥିବା ବେଳେ ଗତକାଲିଠାରୁ ମୋଟୁ ଆଡକୁ ଅଧିକ ବନ୍ୟା ଜଳ ମାଡି ଆସୁଛି । ଯାହାକୁ ନେଇ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି ମୋଟୁ ଗ୍ରାମବାସୀ । ବନ୍ୟା ଯୋଗୁ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

୨୦୦୬ ପରେ ପ୍ରଥମ ଥର ଆନ୍ଧ୍ର ପ୍ରଦେଶର ଭଦ୍ରାଚଲମ ଠାରେ ଗୋଦାବରୀ ନଦୀ ୭୦ ଫୁଟ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଯେଉଁଥିପାଇଁ ଆନ୍ଧ୍ରର ୪୦୦ରୁ ଊର୍ଦ୍ଧ୍ବ ଗାଁ ଜଳମଗ୍ନ ହୋଇଛି  ।