ସୁଧୁରୁଛି ବନ୍ୟା ସ୍ଥିତି, ପାଣିରେ ପଶି ଉଦ୍ଧାର କରୁଛି ଓଡ୍‌ରାଫ୍‌ ଟିମ୍‌…

1 min read
Jajpur Flood

ଯାଜପୁର: ଅଧା ରାଜ୍ୟ ଏବେ ବନ୍ୟା ଜଳରେ ଉବୁଟୁବୁ । ଅନେକ ଅଞ୍ଚଳ ଜଳମଗ୍ନ ହେବା ସହ ଯାତାୟତ ବି ଠପ୍‌ ହୋଇଯାଇଛି । ଗାଁ ଗୁଡ଼ିକ ପାଣି ଘେରରେ ବନ୍ଦି ହୋଇ ରହିଛନ୍ତି । କିଛି ତଳିଆ ଅଞ୍ଚଳରେ ଏବେ ବି ବନ୍ୟା ଭୟରେ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି ।

Japur Flood

ହେଲେ ସୁଧୁରୁଛି ଯାଜପୁର ବନ୍ୟା ସ୍ଥିତି । ଧିରେ ଧିରେ କମୁଛି ବୈତରଣୀ ପାଣି । ହେଲେ ଏବେ ବି ପାଣି ଘେରରେ ଅନେକ ଲୋକ ଫଶି ରହିଛନ୍ତି । ସେମାନଙ୍କୁ କିଭଳି ଉଦ୍ଧାର କରାଯିବ ସେଥିପ୍ରତି ସ୍ଥାନୀୟ ପ୍ରଶାସନ, ଓଡ୍ରାଫ୍ ଓ NDRF ବାହିନୀ ସଜାଗ ରହିଛନ୍ତି । ଲୋକଙ୍କୁ ଉଦ୍ଧାର କରିବା ସହ ଲୋକଙ୍କ ପାଖରେ ଶୁଖିଲା ଖାଦ୍ୟ, ଔଷଧ, ପଲିଥିନ, ଆଦି ଯୋଗାଇ ଦିଆଯାଉଛି ।

Japur Flood

ଯାଜପୁରରେ ବହୁ ବର୍ଷ ପରେ ଜିଲ୍ଲାବାସୀ ଏକ ବଡ ବନ୍ୟାକୁ ସାମ୍ନା କରିଛନ୍ତି । ଜିଲ୍ଲାର ପ୍ରମୁଖ ନଦୀ ବୈତରଣୀ, ଖରସ୍ରୋତା ଓ ବ୍ରାହ୍ମଣୀରେ ବନ୍ୟା ଆସିବା ଫଳରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଶନିବାର ସକାଳ ସୁଦ୍ଧା ସବୁ ନଦୀରେ ଜଳସ୍ତର ଖସୁଥିବା ବେଳେ ସମସ୍ତ ନଦୀ ଏବେବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି । ବନ୍ୟା ଯୋଗୁଁ ହଜାରରୁ ଉର୍ଦ୍ଧ୍ୱ ଗାଁ ପାଣି ଘେରରେ ରହିଛି । ପ୍ରଶାସନିକ ସୂଚନା ଅନୁସାରେ ଜିଲ୍ଲାର ୧୨୪ ପଂଚାୟତର ୫୩୦ଟି ଗାଁ ସଂପୂର୍ଣ୍ଣ ଭାବେ ପାଣି ଘେରରେ ରହିଛି ।

Japur Flood

ଖାଲି ସେତିକି ନୁହେଁ ଜିଲ୍ଲାରେ ୪ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବା ବେଳେ ୨୫ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଜିଲ୍ଲାରେ ୧୨ଟି ଦମକଳ ବାହିନୀ ସହ ୪ଟି ଓଡ୍ରାଫ୍ ଓ ୨ଟି ଏନଡିଆରଏଫ୍ ଟିମ୍‌ ଉଦ୍ଧାର କାର୍ଯ୍ୟ କରିବା ସହ ପାଣି ଘେରରେ ରହୁଥିବା ଲୋକଙ୍କ ପାଖରେ ସେବା ପହଂଚାଉଛନ୍ତି । ତେବେ ବନ୍ୟା ଯୋଗୁ ଜିଲ୍ଲାର ୬ଟି ବ୍ଲକରେ ୨୨ଟି ଘାଇ ମଧ୍ୟ ସୃଷ୍ଟି ହୋଇଛି । ଯାହାକି ଚିନ୍ତାର ବିଷୟ ।

Japur Flood

ଅନ୍ୟପଟେ ଯାଜପୁର ବ୍ଲକରେ କାନ୍ଥ ପଡ଼ି ୨ ମାସର ଶିଶୁ କନ୍ୟାର ମୃତ୍ୟୁ ହୋଇଛି । ସେହିପରି ବରୀ ବ୍ଲକ ଠାକୁର ପାଟଣାରେ ଛାତ ଉପରେ ଫଶି ରହିଛନ୍ତି ପ୍ରାୟ ୧୫ ଜଣ ଲୋକ । ମହାନଦୀ ପାଣି ଆସୁଥିବାରୁ ପ୍ରଶାସନ ବରୀ ଓ ବଡ଼ଚଣା ଅଂଚଳ ଉପରେ ଏବେ ଅଧିକ ଫୋକସ କରିଛି ବୋଲି ଜିଲ୍ଲାପାଳ ରଞ୍ଜନ କୁମାର ଦାସ କହିଛନ୍ତି ।

ସେପଟେ ବିଧାୟକଙ୍କ ନିର୍ଦେଶରେ ବିଜୁ ଯୁବ ବାହିନୀ ଓ ଶାସକ ଦଳ ସଦସ୍ୟମାନେ ଲୋକଙ୍କ ପାଖରେ ଶୁଖୁଲା ଓ ରନ୍ଧା ଖାଦ୍ୟ କିପରି ପହଂଚିବ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି । ସେପଟେ ବନ୍ୟା ଦ୍ୱାରା ଅଧିକ ପ୍ରଭାବିତ ହୋଇଛନ୍ତି ଚାଷୀ । ଚାଷୀ ଜମି ଜଳମଗ୍ନ ହୋଇଥିବାରୁ ଚାଷୀ ଏବେ ଚିନ୍ତାରେ । ତେବେ ଫସଲ କ୍ଷୟକ୍ଷତି ନେଇ ପ୍ରଶାସନ ପକ୍ଷରୁ ଆକଳନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଖୁବ୍‌ଶୀଘ୍ର ଚାଷୀଙ୍କୁ ସହୟତା ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Leave a Reply