ଉତ୍ତର ଓଡ଼ିଶା ଉବୁଟୁବୁ: ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକା ଅବବାହିକାରେ ବନ୍ୟା ପରିସ୍ଥିତି

ନନ୍ଦିଘୋଷ ବ୍ୟୁରୋ: ସପ୍ତାହେ ନପୂରୁଣୁ ପୁଣି ଉତ୍ତର ବାଲେଶ୍ୱରରେ ବନ୍ୟା ସ୍ଥିତି । ଝାଡ଼ଖଣ୍ଡ ଗାଲୁଡି ବ୍ୟାରେଜ ପାଣିରେ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସୁବର୍ଣ୍ଣରେଖା ଦ୍ୱିତୀୟ ବନ୍ୟାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ସେପଟେ ଆଗାମୀ ତିନି ଦିନ ପାଇଁ ଉପରମୁଣ୍ଡରେ ପ୍ରବଳ ବର୍ଷା ଅନୁମାନ ବଢ଼ାଇ ଦେଇଛି ଅଧିକ ଚିନ୍ତା । ମୟୂରଭଞ୍ଜ ଜିଲ୍ଲାରେ ବି ଲଘୁଚାପ ଜନିତ ପ୍ରବଳ ବର୍ଷା ଜାରି ରହିଛି ।
ସୁବର୍ଣ୍ଣରେଖାର ବନ୍ୟାଜଳ ପାଇଁ ଜଳେଶ୍ଵର, ବସ୍ତା, ବାଲିଆପାଳ, ଭୋଗରାଇ, ରେମୁଣା, ସଦର ବ୍ଳକର ୪୬ଟି ପଞ୍ଚାୟତ ପ୍ରଭାବିତ ହୋଇଛି । ଗାଁ ରାସ୍ତାରେ ଚାଲୁଛି ଆଣ୍ଠୁଏ ଉଚ୍ଚର ପାଣି । ଚାଷ ବାସ କଥା କହିଲେ ନସରେ । ଚାରିଆଡେ ସୃଷ୍ଟି ହୋଇଛି ନଦୀର ଭ୍ରମ । ଗାଲୁଡି ବ୍ୟାରେଜର ଗେଟ ଖୋଲିବା ଫଳରେ ନଦୀରେ ବନ୍ୟା ପାଣି ଆସି ଉତ୍ତର ବାଲେଶ୍ବରକୁ ଜଳମଗ୍ନ କରିଛି । ଅପରାହ୍ନ ୪ଟା ସୁଦ୍ଧା ସୁବର୍ଣ୍ଣରେଖାର ଜଳସ୍ତର ରାଜଘାଟଠାରେ ୧୧.୫୩ ମିଟର ରହିଛି । ଯାହା ବିପଦ ସଂକେତ ୧୦.୩୬ ମିଟରରୁ ଢେର ଉପରେ । ଉପରେ ମୁଣ୍ଡରେ ଅଧିକ ବର୍ଷାରେ ଭୟାବହ ସ୍ଥିତି ଉପୁଜିବାର ଆଶଙ୍କା କରାଯାଇଛି । ସେପଟେ ବୁଢାବଳଙ୍ଗ ନଦୀର ବନ୍ୟା ଜଳ ସତର୍କ ସଂକେତ ତଳକୁ ଖସି ୭.୨୧ରୁ ନିମ୍ନରେ ୬.୬୦ରେ ରହିଛି । ଅନ୍ୟପଟେ ଜଳକା ନଦୀର ଜଳସ୍ତର ବିପଦ ସଂକେତ ୬.୫୦ ମିଟରରୁ ଉପରେ ୬.୭୦ ମିଟର ଥିଲେ ବି ବନ୍ୟା ପାଣି ଧୀରେ ଧୀରେ ହ୍ରାସ ପାଉଛି । ବନ୍ୟା ମୁକାବିଲା ପାଇଁ ଜିଲ୍ଲାରେ ୨୯୧୬ ଜଣ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି । ସବୁ ସ୍ଥାନରେ ଓଡ୍ରାଫର ୪ ଓ ଅଗ୍ନିଶମ ବିଭାଗର ୮ଟି ଟିମ ମୁତୟନ ହୋଇଛନ୍ତି । ବିଚ୍ଛିନ୍ନ ଅଞ୍ଚଳକୁ ଏସଆରସି ବୋଟ ମାଧ୍ୟମରେ ଲୋକଙ୍କୁ ଯିବା ଆସିବା ସୁବିଧା ଯୋଗାଇ ଦିଆଯାଉଛି । ଏଥିସହ ୨୪ ଘଣ୍ଟିଆ ଜରୁରୀକାଳୀନ ନମ୍ବର ଜାରି କରାଯିବା ସହିତ ବରିଷ୍ଠ ଅଧିକାରୀଙ୍କୁ ବିଭିନ୍ନ ବ୍ଲକ ଦାୟିତ୍ୱ ଦେଇଛନ୍ତି ଜିଲ୍ଲାପାଳ ।
ମୟୂରଭଞ୍ଜ ଜିଲ୍ଲାରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଜାରି ରହିଛି । ମାଟି ଅତଡା ଖସି ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ଗୁଡୁଗୁଡିଆ ଓ କାଳିକାପ୍ରସାଦକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ସେପଟେ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ବିଦ୍ୟାଳୟ ଗୋଟିଏ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି । ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ୩ ଦିନ ପାଇଁ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ଭଦ୍ରକରେ ୩ ଦିନ ଧରି ଲଗାଣ ବର୍ଷାରେ ତଳମୁଣ୍ଡରେ ଉଛୁଳୁଛି ବୈତରଣୀ ଓ ସାଳନ୍ଦୀ ନଦୀ । ସାଳନ୍ଦୀ ନଦୀରେ ଭର୍ତ୍ତି ହୋଇ ରହିଥିବା ମଇଁଶିଆ ଦଳ ଉପର ମୁଣ୍ଡରୁ ଭାସି ଆସିବାରୁ ଆରଡି ତିନିତର ନଦୀଘାଟରେ ଯାତାୟତ ବନ୍ଦ ରହିଛି । ଫଳରେ ନଦୀର ଉଭୟ ପାର୍ଶ୍ବରେ ଶହଶହ ଯାତ୍ରୀ ଅଟକି ରହିଛନ୍ତି ।