ଚାଷୀ ଓ ନଈକୂଳିଆଙ୍କ ପାଇଁ ବିପଦ ବଢାଉଛି ବନ୍ୟା ଜଳ

1 min read

ଭୁବନେଶ୍ୱର : ରାଜ୍ୟରେ ଲଗାଣ ବର୍ଷା ପରେ ବନ୍ୟା ଆଶଙ୍କା ବଢିଛି । ଚାଷୀ ଓ ନଈକୂଳିଆ ଲୋକେ ଆତଙ୍କିତ ହେଲେଣି । ଅନେକ ପ୍ରମୁଖ ନଦୀର ଜଳସ୍ତର ଫୁଲୁଥିବା ବେଳେ ବନ୍ୟାଜଳ ମୁଖ୍ୟରାସ୍ତାକୁ ମଧ୍ୟ ଛୁଇଁଲାଣି । ପୁରୀ ସତ୍ୟବାଦୀ ବ୍ଲକ ନିକଟସ୍ଥ ଭାର୍ଗବୀ ନଦୀବନ୍ଧ ଧସିଯିବା ଫଳରେ ସଂଶ୍ଲିଷ୍ଟ ଅଞ୍ଚଳ ଏବେ ବିପଦସଙ୍କୁଳ ହୋଇଛି । ପାଖାପାଖି ପ୍ରାୟ ୭ଟି ପଞ୍ଚାୟତରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ସେହିଭଳି କୁଶଭଦ୍ରା ନଦୀ ମଧ୍ୟ ବୋଲ ମାନୁନି । ମୁଖ୍ୟରାସ୍ତା ଛୁଇଁବା ଆରମ୍ଭ କଲାଣି ।

ଅନ୍ୟପକ୍ଷରେ ମାଲକାନଗିରି ଜିଲ୍ଲାରେ ବନ୍ୟାସ୍ଥିତି ସାମାନ୍ୟ କାବୁକୁ ଆସିବ-ଆସିବ ହେଉଥିବା ବେଳେ ଲଗାଣ ବର୍ଷା ସେ ଆଶାକୁ ଧୋଇ ନେଇଛି । କାଙ୍ଗୁରକୋଣ୍ଡା ପୋଲ ଉପରେ ପାଣି ଚାଲୁଛି । ସେହିଭଳି ପୋଲାଭୋରମ୍ ଡ୍ୟାମର ଜଳ ବି ସୀମା ଲଙ୍ଘିଲାଣି । ସାବେରୀ ଓ ସିଲୁର ନଦୀ କୂଳରେ ଜନବସତି ଅଧିକ ହୋଇଥିବା ହେତୁ ଏହି ନଦୀ ଦୁଇଟିର ଜଳସ୍ତର ବଢିବ ଅଧିକ ଆତଙ୍କର କଥା ।

ଅନ୍ୟପକ୍ଷରେ ବାଲେଶ୍ୱରର ଜଳକା ନଦୀ ମୁଖ୍ୟରାସ୍ତା ମୁହାଁଇଲାଣି । ଜଳେଶ୍ୱର ବ୍ଲକ୍ ଲକ୍ଷ୍ମଣାନନ୍ଦ ପ୍ରାଥମିକ ବିଦ୍ୟାଳୟ ଜଳବନ୍ଦୀ ହୋଇଛି । ସେହିଭଳି  ବ୍ରାହ୍ମଣୀ, ଖରସ୍ରୋତା ଓ କାଣି ନଦୀ ଜଳସ୍ତର ମଧ୍ୟ ସୀମା ଅତିକ୍ରମ କରୁଛି । ଏପରିକି ପଟ୍ଟାମୁଣ୍ଡାଇର କିଛି ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ଉଲ୍ଲେଖଯୋଗ୍ୟ ଯେ ଏବେ ରାଜ୍ୟରେ ୪୮ଟି ନଦୀବନ୍ଧ ଦୁର୍ବଳ ରହିଛି ।

Leave a Reply