କମୁଛି ବନ୍ୟା ହେଲେ ବଢୁଛି ଲୋକଙ୍କ ଦୁଃଖ ଓ ଦୁର୍ଦ୍ଦଶା

ବୈତରଣୀ ଓ ସୁବର୍ଣ୍ଣରେଖାରେ କମୁଛି ବନ୍ୟା ହେଲେ ବଢୁଛି ଲୋକଙ୍କ ଦୁଃଖ ଓ ଦୁର୍ଦ୍ଦଶା। ଏବେ ବି ଅନେକ ଗାଁ ପାଣି ଘେରରେ। ଉତ୍କଟ ହେଉଛି ପାନୀୟ ଜଳ ସାଙ୍ଗକୁ ଖାଦ୍ୟାଭାବ। ବୈତରଣୀରେ ଆସିଥିବା ବନ୍ୟା ୬ଦିନ ପରେ କମିବା ଆରମ୍ଭ କରିଛି। ବନ୍ୟାରେ ପ୍ରଭାବିତ ହୋଇଛି ଧାମନଗର ବ୍ଲକର ୧୨ଟି ପଞ୍ଚାୟତର ୩୫ରୁ ଅଧିକ ଗାଁ ଓ ଚାନ୍ଦବାଲି ବ୍ଲକର ୪ ପଞ୍ଚାୟତର ୨୦ ଗାଁ। ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିଲା ଆରଡି ଅଞ୍ଚଳର ୧୪ ଗାଁ। ବନ୍ୟା ପାଣି କମିବା ଆରମ୍ଭ ହୋଇଥିଲେ ବି ଅନେକ ଗାଁ ରାସ୍ତାରେ ଚାଲୁଛି ପାଣି। ୬ ଦିନ ହେଲା ଶହ ଶହ ଏକର ଚାଷଜମି ଜଳମଗ୍ନ ହୋଇ ରହିଛି। ତାସହ ପ୍ରଭାବିତ ହୋଇଛନ୍ତି ଗୃହପାଳିତ ପଶୁ। ୫ ଦିନ ପରେ ଜିଲ୍ଲା ପ୍ରଶାସନର ଅଧିକାରୀ ବନ୍ୟାଞ୍ଚଳକୁ ଯାଇ ବିପନ୍ନଙ୍କୁ ଭେଟି ରନ୍ଧାଖାଦ୍ୟର ବ୍ୟବସ୍ଥା କରାଇଥିଲେ । କିନ୍ତୁ ଗୋଟିଏ ଓଳି ରନ୍ଧା ଖାଦ୍ୟ ଦେଇ ପ୍ରଶାସନ ତା’ର କାମ ସାରି ଦେଇଛି।

ସେହିଭଳି ଗତ ୨୫ ତାରିଖରେ ଯାଜପୁର କାଣୀ ନଦୀରେ ବନ୍ୟା ଆସିବା ଫଳରେ ଦଶରଥପୁର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଦଶରଥପୁର ବ୍ଲକର ୨୧ଟି ପଞ୍ଚାୟତର ୧୮ ହଜାର ୪୩୩ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ଆହୁରି ଅନେକ ଲୋକ ବାସଶୂନ୍ୟ ହୋଇଛନ୍ତି। ଅନେକ ଲୋକଙ୍କ ଘରେ ପାଣି ପଶି ବହୁ ମୂଲ୍ୟର ଆସବାବପତ୍ର ସହ ଦରକାରୀ କାଗଜ ପତ୍ର ମଧ୍ୟ୍ୟ ନଷ୍ଟ ହୋଇଯାଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ପାଖାପାଖି ୧୫ଟି ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷ ଜମିରେ ଏବେ ବି ଜମି ରହିଛି ବନ୍ୟା ପାଣି। ଏହାରି ଭିତରେ ମଲ୍ଲିକାପୁର ପଞ୍ଚାୟତରେ ବନ୍ୟାପାଣିରେ ଭାସି ଯାଇ ଜଣେ ୨୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି। ବନ୍ୟା ପରବର୍ତ୍ତି ସମୟରେ ବିଭିନ୍ନ ରୋଗ ବ୍ୟାପିବାର ସମ୍ଭାବନା ଥିବାରୁ, ଯାଜପୁର ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ପ୍ରଭାବିତ ଅଞ୍ଚଳକୁ ଯାଇ ଲୋକଙ୍କୁ ସଚେତନ କରି ବିଭିନ୍ନ ପ୍ରକାର ଔଷଧ ପ୍ରଦାନ କରିଛନ୍ତି। ସୁବର୍ଣ୍ଣରେଖା ନଦୀର ବି କମୁଛି ଜଳସ୍ତର। ରାଜଘାଟରେ ବିପଦ ସଙ୍କେତ ତଳେ ବନ୍ୟା ଜଳ ପ୍ରବାହିତ ହେଉଥିଲେ ବି ବାଲିଆପାଳ ଓ ଭୋଗରାଇ ବ୍ଲକର ବହୁ ଗାଁ ଜଳବନ୍ଦୀ ହୋଇ ରହିଛି । ବନ୍ୟା ପ୍ରଭାବିତ ଅଞ୍ଚଳରୁ ପାଣି ଛାଡ଼ିବାକୁ ଆହୁରି ଦୁଇରୁ ତିନି ଦିନ ଲାଗିବ । ବନ୍ୟାରେ ଚାଷ ଉଜୁଡି ଯାଇଥିବାରୁ ବର୍ଷ ଯାକ କିପରି ପରିବାର ପ୍ରତିପୋଷଣ କରିବେ ସେନେଇ ଚିନ୍ତାରେ ଚାଷୀ ।