ଉଡାନ ସ୍କିମ ଅଧୀନରେ ଆଜିଠୁ ରାଉରକେଲାକୁ ଆରମ୍ଭ ହେଲା ନିୟମିତ ବିମାନ ଉଡାଣ

1 min read

ଭୁବନେଶ୍ୱର: ଉଡାନ ସ୍କିମ ଅଧୀନରେ ଆଜିଠାରୁ ରାଉରକେଲାକୁ ଆରମ୍ଭ ହେଲା ନିୟମିତ ବିମାନ ଉଡାଣ । ଏହାପୂର୍ବରୁ ଜାନୁଆରୀ ୭ ତାରିଖରୁ ରାଉରକେଲାକୁ ବିମାନ ସେବାର ଶୁଭାରମ୍ଭ ହୋଇଛି । ଆଜିଠାରୁ ଆଲିଆନ୍ସ ଏୟାର ଦ୍ଵାରା ପରିଚାଳିତ ୭୨ ସିଟର ବିମାନ ପ୍ରତିଦିନ ଅପରାହ୍ନ ୨ଟା ୫୫ରେ ଭୁବନେଶ୍ବରରୁ ଛାଡ଼ିବ ଓ ରାଉରକେଲାରେ ୩ଟା ୫୦ରେ ପହଞ୍ଚିବ। ଏହା ରାଉରକେଲାରୁ ୪ଟା ୧୫ରେ ବାହାରି ଭୁବନେଶ୍ବରରେ ୫ଟା ୧୦ରେ ପହଞ୍ଚିବ। ପ୍ରାରମ୍ଭିକ ଭାବେ ଭୁବନେଶ୍ବରରୁ ରାଉରକେଲା ବିମାନ ଭଡ଼ା ୨୮୦୩ ଟଙ୍କା ଥିଲା ବେଳେ ରାଉରକେଲାରୁ ଭୁବନେଶ୍ଵର ବିମାନ ଭଡ଼ା ୨୭୨୧ ଟଙ୍କା ଅଛି ।

ଏହାସହିତ ହକି ବିଶ୍ୱକପ୍ ଲାଗି ରାଜ୍ୟ ସରକାର ଭଡ଼ାରେ ଆଣିଥିବା ଆଲିଆନ୍ସ ଏୟାରର ଚାର୍ଟର ଫ୍ଲାଇଟ ATR -72 ଭୁବନେଶ୍ଵରରୁ ରାଉରକେଲା ଚଳାଚଳ କରୁଛି । ଏହି ଚାର୍ଟର ଫ୍ଲାଇଟରେ ୭ ତାରିଖରୁ ଖେଳାଳି ଯିବା ଆସିବା କରୁଛନ୍ତି । ସେହିପରି ହକି ବିଶ୍ୱକପ୍ ଲାଗି ରାଜ୍ୟ ସରକାର ଏୟାର ଏସିଆର ଏକ ଏୟାର ବସ 320 ମଧ୍ୟ ଭଡ଼ାରେ ଆଣିଛନ୍ତି, ଯାହାକି ଭୁବନେଶ୍ଵରରୁ ଝାରସୁଗୁଡା ମଧ୍ୟରେ କାର୍ଗୋ ବା ବ୍ୟାଗେଜ ପରିବହନ ପାଇଁ ବ୍ୟବହାର ହେଉଛି ।