ମୂଷା ଅଟକାଇଲା ଏୟାର ଇଣ୍ଡିଆ ବିମାନ !
1 min readହାଇଦ୍ରାବାଦ : ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ । ଗୋଟିଏ ମୂଷା କଣ ବିମାନ ଅଟକାଇ ପାରିବ ? ପାହାରଟେ ପକେଇଲେ କାଉଁ କାଉଁ ହୋଇ ଜୀବନ ଚାଲିଯିବ, ସିଏ ପୁଣି ବିମାନ ଅଟକାଇଦେବ କେମିତି ? ଭାବୁଥିବେ ଆମେ ଆପଣଙ୍କୁ ଗାଲୁ ଗପ ମାରୁଛୁ । କିନ୍ତୁ ନା, ସତ କଥା । ମୂଷାର ଦୌରାତ୍ମ୍ୟ କାରଣରୁ ୧୨ ଘଣ୍ଟା ଅଟକିଛି ବିମାନ ।
ସମୟ ଥିଲା ରବିବାର ସକାଳ । ସ୍ଥାନ, ରାଜୀବଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦର । ହାଇଦ୍ରାବାଦରୁ ବିଶାଖାପାଟଣା ଉଡ଼ାଣ ଭରିବାକୁ ପ୍ରସ୍ତୁତ ହେଉଥାଏ ଏୟାର ଇଣ୍ଡିଆ-୯୫୨ ବିମାନ । ପାଇଲଟଙ୍କଠାରୁ ଆରମ୍ଭ କରି କ୍ରିଉ ମେମ୍ବର, ଯାତ୍ରୀ ସମସ୍ତେ ପ୍ରସ୍ତୁତ । ଟେକ୍-ଅଫ୍ର ଠିକ୍ ପୂର୍ବରୁ ବିମାନବନ୍ଦରରେ ଘଟିଲା ଏକ ଅଭାବନୀୟ ଘଟଣା । ଜଣାପଡ଼ିଲା ବିମାନରେ ମୂଷା ବୁଲୁଛି ।
ଖବର ବ୍ୟାପିବା ପରେ ବ୍ୟସ୍ତ ହୋଇପଡ଼ିଲେ ଏୟାରକ୍ରାଫ୍ଟ କ୍ରିଉ ସଦସ୍ୟ । ସକାଳ ୬ଟା ୧୦ରେ ଛାଡ଼ିବାକୁ ଥିବା ବିମାନ ଆଉ ଗଡ଼ିଲାନି । ଏୟାର ବସ୍ରେ ମୂଷା ପଶିଥିବା ହେତୁ ପ୍ରଥମେ ଘୋଷଣା କରାଗଲା ଏକ ଘଣ୍ଟା ବିଳମ୍ବ ହେବ । ମୂଷାର କରାମତିକୁ ହାଲୁକା ଭାବରେ ନେଇ ଯାତ୍ରୀମାନେ ଘଣ୍ଟାଏ ଅପେକ୍ଷା କଲେ । ପରେ ଗଡ଼ିଚାଲିଲା ସମୟ । ବ୍ୟସ୍ତ ବିବ୍ରତ ଯାତ୍ରୀଙ୍କୁ ବିମାନ ଛାଡ଼ିବା ନେଇ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିଲା । କିଛି ଯାତ୍ରୀ ଟ୍ୱିଟର ଜରିଆରେ ଡିଜିସିଏଙ୍କୁ ଟ୍ୟାଗ୍ କରି ନିଜର ଅସନ୍ତୋଷ ଜାହିର କଲେ ତ କିଛି ସୋସିଆଲ ମିଡ଼ିଆରେ ନିଜର ଅସହାୟତା ବଖାଣିଲେ । ନା ଯାତ୍ରୀଙ୍କୁ କିଛି ସ୍ପଷ୍ଟ ସନ୍ଦେଶ ମିଳୁଥିଲା ନା ଅନ୍ୟ ବିମାନରେ ଯିବାର ବନ୍ଦୋବସ୍ତ । ପୂର୍ବ ଦିଗରେ ଉଇଁଥିବା ସୂର୍ଯ୍ୟ ପଶ୍ଚିମରେ ପହଁଚି ବୁଡ଼ିବା ଅପେକ୍ଷାରେ । ଏ ଭିତରେ ଖବର ଆସିଲା ମୂଷାର ଦେହାବଶେଷ ମିଳିଲା ଖୁବ୍ ଶୀଘ୍ର ଛାଡ଼ିବ ବିମାନ । ଯାତ୍ରୀଙ୍କୁ ସାରା ଦିନ ହତାଶ କରିବା ପରେ ଶେଷରେ ୫ଟା ୩୦ରେ ଛାଡ଼ିଥିଲା ବିମାନ। ମୂଷାଟି ବିମାନର କ୍ୟାବିନରେ ଥିଲା, ପରବର୍ତ୍ତୀ ସମୟରେ ଏହା ଯାତ୍ରୀ ବସୁଥିବା ସ୍ଥାନକୁ ଚାଲିଯିବାକୁ ସହଜରେ ଧରା ପଡ଼ିନଥିଲା ।
ଏମିତି ଆଉ କେବେ ଘଟିଥିଲା ?
-୨୦୧୭: ମୂଷା ପାଇଁ ଅଟକିଥିଲା ଦିଲ୍ଲୀରୁ ସାନଫ୍ରାନ୍ସସିସକୋ ଯାଉଥିବା ଏୟାର ଇଣ୍ଡିଆ ବିମାନ । ୯ଘଣ୍ଟା ବିଳମ୍ବରେ ଛାଡ଼ିଥିଲା ବିମାନ ।
-୨୦୧୫: ଲଣ୍ଡନ ଯାଉଥିବା ବିମାନ ମୂଷା ପାଇଁ ମୁମ୍ବାଇ ଫେରିବାକୁ ବାଧ୍ୟ ହୋଇଥିଲା । ')}