ଜିଏସଟି ଠକେଇ: ଜେଲ ଗଲେ ୫ ବ୍ୟବସାୟୀ

1 min read

ରାଉରକେଲା: ଆଇନ୍‌ ଜାଲରେ ଫଶିଲେ ୩୧୧ କୋଟି ଜିଏସଟି ଠକେଇର ମାଷ୍ଟର ମାଇଣ୍ଡ । ଉରକେଲାରେ ଜିଏସଟି ଠକେଇ କରି କୋଟି କୋଟି ଟଙ୍କାର ଚୂନ ମାରିଥିଲେ ୫ ବ୍ୟବସାୟୀ । ଫେକ୍ ଇନଭଏସ ଜରିଆରେ ଠକେଇ ହୋଇଥିବା ବେଳେ ଗିରଫ ୫ ଜଣଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ଟିମ ବଡ ଧରଣର ଠକେଇ ଘଟଣାର ପର୍ଦ୍ଦାଫାଶ କରିବା ପରେ ଟିମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି  ଅଭିନନ୍ଦନ ଜଣାଇଛନ୍ତି । ଗୋଟିଏ ପରିବାରର ୪ ଜଣ ବ୍ୟବସାୟୀ ଲୁହା ବ୍ୟବସାୟ କରୁଥିବା ଦର୍ଶାଇ ୪୩ଟି ସଂସ୍ଥା ଖୋଲିଥିବା ବେଳେ ସେଥିରୁ ୨୩ଟି ଜାଲ୍‌ ବୋଲି ଜଣାପଡ଼ିଛି ।

ଠକେଇ କରିଥିବା ୫ ଜଣ ବ୍ୟବସାୟୀଙ୍କୁ ଗତକାଲି କୋର୍ଟ ଚାଲାଣ କରାଯାଇଥିଲା । ଅଭିଯୁକ୍ତମାନେ ନିରୀହ ଲୋକଙ୍କଠାରୁ ବିଭିନ୍ନ ପ୍ରମାଣ ପତ୍ର ସଂଗ୍ରହ କରି ସେମାନଙ୍କ ନାଁରେ ଫେକ ବ୍ୟବସାୟୀକ ଫାର୍ମ ତିଆରି କରି ଜିଏସଟି ଠକେଇ କରିଥିଲେ । ଶିକ୍ଷକଙ୍କଠାରୁ ଆରମ୍ଭ କରି ଦିନ ମଜୁରିଆଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରମାଣ ପତ୍ର ସଂଗ୍ରହ କରି ସେମାନଙ୍କୁ ଫାର୍ମର ମାଲିକ ବୋଲି ଦର୍ଶାଇଥିଲେ । ଠକେଇରେ ୫ ଜଣ ଗିରଫ ହୋଇଥିଲେ ମଧ୍ୟ ଆହୁରି ୮ ଜଣଙ୍କର ଠକେଇରେ ସମ୍ପୃକ୍ତି ରହିଛି । ଫେରାର ଠକଙ୍କୁ ଗିରଫ କରିବା ପାଇଁ ଜିଏସଟି ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ।

୯ ହଜାର କୋଟିରୁ ଅଧିକ GST ଠକେଇ ଅଭିଯୋଗରେ ମୋଟ 2୮ଜଣ ଠକଙ୍କୁ ଗିରଫ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଏଭଳି କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।