ସେନାରେ ସାମିଲ ହେଲା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଡ୍ରୋନ ନାଗାସ୍ତ୍ର-୧

1 min read

ନୂଆଦିଲ୍ଲୀ: ବଢ଼ିଲା ଭାରତୀୟ ସେନାର ବଳ । ସେନାକୁ ମିଳିଲା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆତ୍ମଘାତୀ ଡ୍ରୋନ ନାଗାସ୍ତ୍ର-୧ । ନାଗାସ୍ତ୍ର ଶତ୍ରୁ ପକ୍ଷଙ୍କ ଇଲାକାରେ ପ୍ରବେଶ କରି ଦମନଲୀଳା ଚଳାଇବାକୁ ସକ୍ଷମ । ଯେ କୌଣସି ପରିସ୍ଥିତିରେ ଆତଙ୍କବାଦୀଙ୍କ ଆଡ୍ଡା ନିକଟରେ ପହଞ୍ଚି ଏହାକୁ ଧ୍ବଂସ କରିବାକୁ ସକ୍ଷମ ଭାରତର ଏହି ମାରଣାସ୍ତ୍ର ।

ନାଗାସ୍ତ୍ର ରାଡାରକୁ ଚକମା ଦେବାକୁ ସକ୍ଷମ । ରାଡାର ନଜରକୁ ନଆସି ଏହା ସହଜରେ ଶତ୍ରୁକକ୍ଷଙ୍କ ଶିବିର ଉପରେ ଆତ୍ମଘାତି ଆକ୍ରମଣ କରି ତାକୁ ଧ୍ବାଂସ କରିପାରିବ । ଏଥିରୁ କମ ଶବ୍ଦ ବାହାରୁଥିବାରୁ ଶତ୍ରୁର ଘରେ ପଶି ହମଲା କରିବାକୁ ମଧ୍ୟ ସହଜ ହେବ ।

ଏହାର ଦୁଇଟି ଭ୍ଯାରିଆଣ୍ଟ ରହିଛି । ଦୁଇଟି ଯାକ ଭ୍ଯାରିଆଣ୍ଟ ୬୦ରୁ ୯୦ ମିନିଟ ପର୍ଯ୍ୟନ୍ତ ଉଡିବାର କ୍ଷମତା ରଖିଛି । ଏହା ୧୫ କିଲୋମିଟର ରେଞ୍ଜ ଭିତରେ କାର୍ଯ୍ୟ କରିବା ସହ ୪ ହଜାର ୫ଶହ ମିଟର ଉପରେ ଉଡିପାରିବ । ଏକ କିଲୋରୁ ୪ କିଲୋ ପର୍ଯ୍ୟନ୍ତ ଅସ୍ତଶସ୍ତ୍ର ବହନ କରିପାରିବାର କ୍ଷମତା ରଖିଛି ନାଗାସ୍ତ୍ର-୧ । ହମଲା ସମୟରେ ଏହା ରିଅଲ ଟାଇମ ଭିଡିଓ ମଧ୍ଯ ପ୍ରସ୍ତୁତ କରିପାରିବ ।

ପ୍ରଥମ ବ୍ଯାଚରେ ସେନାକୁ ୧୨୦ଟି ନାଗାସ୍ତ୍ର ଡ୍ରୋନ ହସ୍ତାନ୍ତର କରାଯାଇଛି । ନାଗାସ୍ତ୍ର ବଙ୍କର, ଯୁଦ୍ଧପୋଷ୍ଟ, ଯୁଦ୍ଧାସ୍ତ୍ର ଡିପୋକୁ ଏୟାର ଷ୍ଟ୍ରାଇକ କରି ଧ୍ବଂସ କରିବାର କ୍ଷମତା ରଖିଛି । ଏହି ଡ୍ରୋନକୁ ଇକୋନୋମିକ୍ସ ଏକ୍ସପ୍ଲୋସିଭ ଓ ଜେଡ ମୋସନ ଅଟୋନୋମସ ସିଷ୍ଟମସ କମ୍ପାନୀ ନିର୍ମାଣ କରିଛନ୍ତି । ସେନାକୁ ୪୫୦ଟି ନାଗାସ୍ତ୍ର-୧ ପ୍ରଦାନ କରାଯିବ । ଏହାକୁ ଚୀନ ସୀମା ନିକଟ ଲଦାଖରେ ପରୀକ୍ଷଣ କରାଯାଇ ସଫଳତା ହାସଲ କରାଯାଇଛି । ଏହା ଭବିଷ୍ଯତରେ ସର୍ଜିକାଲର ଷ୍ଟ୍ରାଇକର ଏକ ଭଲ ବିକଳ୍ପ ହେବାକୁ ଯାଉଛି । ଏହି ଡ୍ରୋନ ଯୋଗୁଁ ସର୍ଜିକାଲ ଷ୍ଟ୍ରାଇକରେ ଆଉ ଫାଇଟର ଜେଟର ଆବଶ୍ଯକତା ପଡିବନି ।