କାବୁଲର ଚାଇନିଜ୍ ହୋଟେଲରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ, ୩ ମୃତ

1 min read

କାବୁଲ: ଆଫଗାନିସ୍ତାନ କାବୁଲର ଏକ ହୋଟେଲରେ ଆତଙ୍କୀ ଆକ୍ରମଣ । ଚୀନ୍ ବ୍ୟବସାୟୀ ଅଧିକ ଆତଯାତ କରୁଥିବା ଗେଷ୍ଟ ହାଉସ୍ ଭିତରୁ ବିସ୍ଫୋରଣ ଓ ଗୁଳିମାଡ଼ ହେଉଥିବା ଶୁଣିବାକୁ ମିଳୁଛି । ଗୁଳିମାଡ଼ କରି ଗେଷ୍ଟହାଉସ୍ ଭିତରକୁ ପଶିଥିଲେ ଆକ୍ରମଣକାରୀ । କାବୁଲର ପ୍ରମୁଖ ବ୍ୟବସାୟିକ ଅଞ୍ଚଳରେ ଥିବା ଗେଷ୍ଟ ହାଉସ୍ ସହର-ଏ-ନାଓରେ ଆକ୍ରମଣ ହୋଇଥିବା ଜଣାପଡିଛି। ହୋଟେଲ୍ ଭିତରେ ଲୋକଙ୍କୁ ପଣବନ୍ଦୀ କରିବାକୁ ଯୋଜନା ଥିବା ସନ୍ଦେହ କରାଯାଉଛି । ବିଲଡିଂ ବାହାରକୁ ନିଆଁ ଧାସ ବାହାରୁଥିବା ଦେଖିବାକୁ ମିଳୁଛି ।

ତାଲିବାନ୍ କ୍ଷମତାକୁ ଫେରିବାର ପରଠାରୁ ଚୀନ୍ ବ୍ୟବସାୟୀ ଅଧିକ ସଂଖ୍ୟାରେ ଆଫଗାନିସ୍ତାନ ଆସୁଛନ୍ତି । ଏହି ପାଞ୍ଚ ତାରକା ଗେଷ୍ଟହାଉସ୍ ବା ହୋଟେଲକୁ ଚାଇନିଜ୍ ହୋଟେଲ ନାଁରେ ମଧ୍ୟ ଜଣାଯାଇଥାଏ । କେତେ ସଂଖ୍ୟାରେ ଆକ୍ରମଣକାରୀ ଗେଷ୍ଟ ହାଉସ୍ ଭିତରକୁ ଯାଇଛନ୍ତି ସେନେଇ ଜଣାପଡିନି । ତେବେ ଘଟଣାସ୍ଥଳରେ ତାଲିବାନ୍ ସ୍ପେଶାଲ୍ ଫୋର୍ସ ପହଞ୍ଚିଛନ୍ତି । ଗେଷ୍ଟ ହାଉସ୍କୁ ଆସୁଥିବା ସମସ୍ତ ରାସ୍ତା ବ୍ଲକ କରାଯାଇଛି । କିଛି ଲୋକ ବିଲ୍ଡିଂର ଝରକା ଦେଇ ବାହାରକୁ ଆସିବା ପାଇଁ ଉଦ୍ୟମ କରୁଥିବା ଭିଡିଓରେ ଦେଖାଯାଇଛି ।

୨୦୦୮ ମସିହାରେ ମୁମ୍ବାଇରେ ହୋଇଥିବା ଆତଙ୍କୀ ଆକ୍ରମଣ ଭଳି ଏହି ଆକ୍ରମଣ ହୋଇଛି । କାବୁଲର ଏହି ପାଞ୍ଚ ତାରକା ହୋଟେଲର ଝରକାରୁ ଧୂଆଁ ଏବଂ ନିଆଁ ଧାସ ବାହାରୁଛି । ତେବେ ଏପର୍ଯ୍ୟନ୍ତ ସୁଦ୍ଧା ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ପ୍ରାୟ ୧୮ ଜଣ ଆହତ ହୋଇଥିବା ସୂଚନା । ଆହତଙ୍କ ଚିକିତ୍ସା ହସ୍ପିଟାଲରେ ଚାଲିିଛି । କୁହାଯାଉଛି ଯେ ମୃତକଙ୍କ ମଧ୍ୟରେ ଆକ୍ରମଣକାରୀ ମଧ୍ୟ ସାମିଲ ଅଛନ୍ତି । ଏବେ ବି କିଛି ଲୋକ ଫସିରହିଥିବାର ସୂଚନା ।

ଆଫଗାନିସ୍ତାନ ପୋଲିସ ଏବଂ ସୁରକ୍ଷା ଏଜେନ୍ସି ଘଟଣାସ୍ଥଳରେ ପହଞ୍ଚିଯାଇଛି ଏବଂ ହୋଟେଲକୁ ଚାରିପଟୁ ଘେରି ନେଇଛି । କିଛି ସମୟର ଅନ୍ତରାଳରେ ଏଠାରେ ଫାଇରିଂର ଶବ୍ଦ ଶୁଣାଯାଇଛି । ସୂଚନା ମୁତାବିକ, ଆକ୍ରମଣକାରୀ ଗୁଳି ଚଳାଇ ହୋଟେଲ ବିତରକୁ ପସିଥିଲେ । ଏହାପରେ ସେମାନେ ବିସ୍ଫୋରଣ କରିଥିଲେ । କୁହାଯାଉଛି ଯେ, ଏହି ଆକ୍ରମଣ ପଛରେ ଆଇଏସକେପି (ଇସଲାମିକ ଷ୍ଟେଟ ଖୋରାସନ ପ୍ରଭିନ୍ସ)ର ହାତ ରହିଛି, ଅବଶ୍ୟ ଏହାର ଔପଚାରିକ ପୃଷ୍ଟି ହୋଇନାହିଁ ।