ଭୟଙ୍କର ବନାଗ୍ନିରେ ଜଳୁଛି ଦକ୍ଷିଣ ଆମେରିକୀୟ ଦେଶ ଚିଲି

ନନ୍ଦିଘୋଷ ବ୍ୟୁରୋ: ଭୟଙ୍କର ବନାଗ୍ନିରେ ଜଳୁଛି ଦକ୍ଷିଣ ଆମେରିକୀୟ ଦେଶ ଚିଲି । ଏବେ ଜନବସତିରେ ଆସି ନିଆଁ ପହଞ୍ଚିଲାଣି । ଏଥିପାଇଁ ଚିଲି ସରକାରଙ୍କର ଚିନ୍ତା ବଢିବାରେ ଲାଗିଛି । ନିଆଁ ଅଣାୟତ୍ତ ହେଉଥିବା ବେଳେ ଏଯାଏ ୧୧୨  ଜଣଙ୍କର ମୃତ୍ୟୁ ଘଟିବା ସହ ଶତାଧିକ ନିଖୋଜ ଅଛନ୍ତି । ଏଥିସହ ୧୧୦୦ରୁ ଅଧିକ ଘର ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଭିନାଡେଲମାର ସମେତ ପଡୋଶୀ ସହର ଗୁଡିକରେ କର୍ଫ୍ୟୁ ଜାରି କରାଯାଇଛି । ପାଖାପାଖି ୧୬୧ ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପିଛି ନିଆଁ । ଦେଶର ୩ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଭିନାଡେଲମାର ସହର ଅଧିକ କ୍ଷତିଗ୍ରସ୍ତ ହୋଇଥିବା ସୂଚନା । ଧୂଆଁ ଓ ନିଆଁ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି । ଲୋକମାନଙ୍କୁ ଘରୁ ନ ବାହାରିବାକୁ ଅପିଲ କରାଯାଇଛି  । ଦେଶରେ ଉଦ୍ଧାର କାର୍ଯ୍ୟ ଓ ନିଆଁଲିଭା କାର୍ଯ୍ୟ ଜାରି ରହିଛି । ଫାୟାରଫାଇଟର୍ସ ହେଲିକପ୍ଟର ଓ ଟ୍ରକ୍ ମାଧ୍ୟମରେ ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି । ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ଅପିଲ କରାଯାଇଛି । ବନାଗ୍ନି ଯୋଗୁ ଦେଶର ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ତାପମାତ୍ରା ଅସାଧାରଣ ଭାବେ ବୃଦ୍ଧି ପାଇବାରେ ଲାଗିଛି ।