ଅହମଦାବାଦର ଏକ ଟେକ୍ସଟାଇଟ ଗୋଦାମରେ ଅଗ୍ନିକାଣ୍ଡ, ୯ ମୃତ

1 min read

ଅହମଦାବାଦ: ଗୁଜୁରାଟ ଅହମଦାବାଦର ଏକ ଟେକ୍ସଟାଇଲ ଗୋଦାମରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଏଯାବତ ୯ ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ସୂଚନା ମୁତାବକ ଅଗ୍ନିକାଣ୍ଡ ଯୋଗୁଁ ବିଲଡିଂର ଏକ ଅଂଶ ଭୁଶୁଡ଼ି ପଡ଼ିବା କାରଣରୁ ଏହି ୯ ଜଣଙ୍କର ମୃତ୍ୟୁ ହୋଇଛି । ବିଲଡ଼ିଂ ଭଗ୍ନାବଶେଷ ଭିତରେ ଆହୁରି ଅନେକ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି । ଅନ୍ୟପଟେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ଅହମଦାବାଦର ପିପଲାଜ ରୋଡର ନାନୁକାକା ଇଷ୍ଟେଟରେ ସ୍ଥିତ ଏହି ଗୋଦାମରେ ନିଆ ଲାଗିବା ପରେ ତିନି ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ସୂଚନା ରହିଛି । ଅହମଦାବାଦ ଅଗ୍ନି ଏବଂ ଜରୁରୀକାଳୀନ ସେବା ମୁଖ୍ୟଙ୍କ କହିବା ଅନୁଯାୟୀ, ପ୍ରଥମେ ପାଖରେ ଥିବା ଏକ କେମିକାଲ ୟୁନିଟରେ ବିସ୍ଫୋରଣ ହୋଇଥିଲା । ଏହାପରେ ଏହି ଟେକ୍ସଟାଇଲ ଗୋଦାମର କାନ୍ଥ ଭୁଶୁଡ଼ିବା ସହ ଏଥିରେ ନିଆଁ ଲାଗିଯାଇଥିଲା । ତେବେ ୧୨ ଟି ଅଗ୍ନିଶମ ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଛନ୍ତି । ସୂଚନା ଅନୁଯାୟୀ ସେହି ୟୁନିଟରେ ଫାୟାର ସେଫ୍ଟି ସିଷ୍ଟମ ମଧ୍ୟ ନଥିଲା ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ କେମିକାଲ ୟୁନିଟରେ ପ୍ରଥମେ ଲଗାତାର ପାଞ୍ଚଟି ବିସ୍ଫୋରଣ ହୋଇଥିଲା । ବର୍ତ୍ତମାନ ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ବେଳେ ଘଟଣାସ୍ଥଳରେ ଫରେନସିକ ଯାଞ୍ଚ ଚାଲିଛି ।  ଦମକଳ ବିଭାଗ ସୂଚନା ଅନୁଯାୟୀ ଧ୍ୱଂସାବଶେଷ ଭିତରୁ ପ୍ରାୟ ୧୨ ଜଣଙ୍କୁ ଉଦ୍ଧାର କରାଯାଇ ଏଲଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave a Reply