ମଞ୍ଚେଶ୍ବରରେ ମେଡିସିନ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ , ଜଳିଗଲା ଲକ୍ଷାଧିକ ଟଙ୍କାର ଔଷଧ

ଭୁବନେଶ୍ୱର : ଭୁବନେଶ୍ୱର ମଞ୍ଚେଶ୍ୱରରେ ମେଡ଼ିସିନ ଗୋଦାମରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ମେଡ଼ିସିନ ସାମଗ୍ରୀ । ଗୋଦାମରେ କୋଭିଡ ପାଇଁ ଷ୍ଟକ ଥିବା ସାନିଟାଇଜର, ମାସ୍କ, ସ୍ପିରିଟ, ଅକ୍ସିଜେନ ସିଲିଣ୍ଡର ଗ୍ୟାସ ଟାଙ୍କି ସମ୍ପୂର୍ଣ ପୋଡି ନଷ୍ଟ ହୋଇଯାଇଛି । ପ୍ରାୟ ୫୦ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବାର ଅନୁମାନ କରାଯାଉଛି । ରାତି ପ୍ରାୟ ୧୦.୪୫ ରୁ ୧୧ଟା ଭିତରେ ନିଆଁ ଲାଗିଥିବା ଜଣାପଡିଛି ।

ନିଆଁର ବେଗ ଏତେ ପ୍ରଖର ଥିଲା କି ଅଗ୍ନିଶମ ବାହିନୀଙ୍କୁ ନିଆଁ ଆୟତ୍ତ କରିବାକୁ ଦୀର୍ଘ ସମୟ ଲାଗିଥିଲା । ପାଣିମାଡ଼ ପରେ ନିଆଁ ଆୟତ୍ତ ନ ହେବାରୁ ଏକ ହାଇଡ୍ରା ଓ ଆଉ ଗୋଟେ ଜେସିବି ସାହାଯ୍ୟରେ ଗୋଦାମର ଏକ ପାର୍ଶ୍ଵକୁ ଭଙ୍ଗା ଯାଇ ପାଣି ମାଡ଼ କରାଯାଇ ନିଆଁକୁ ଆୟତ୍ତ କରାଯାଇଥିଲା । ପ୍ରାୟ ୫ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଗୋଦାମରୁ ନିଆଁ ଲିଭାଯାଇ ଆୟତ୍ତ କରାଯାଇଥିଲା ।

ଅଗ୍ନିଶମ ବିଭାଗ ଓ କମିଶନରେଟ ପୋଲିସ ସହଯୋଗରେ ଏହି କାର୍ଯ୍ୟ ସଫଳ ହୋଇଥିଲା । ଯାହା ଫଳରେ ଅନ୍ୟ ଗୋଦାମ କୁ ନିଆଁ ଲାଗିବା ସମ୍ଭବ ହୋଇନଥିଲା । ଏହା ସହିତ ଆକ୍ସିଜେନ ସିଲିଣ୍ଡର ଖାଲି ଥିବାରୁ ଏକ ବଡ଼ ଦୁର୍ଘଟଣାରୁ ମଧ୍ୟ ବର୍ତ୍ତୀ ଯାଇଛି । ଗୋଦାମରେ ଅକ୍ସିଜେନ ଗ୍ୟାସ ସିଲିଣ୍ଡର ଥିବା କାରଣରୁ ସ୍ଥାନୀୟ ଲୋକଙ୍କୁ ଗୋଦାମ ପାଖରୁ ଦୂରେଇ ରାଯାଇଥିଲା ।