ପୁରୀ ମରୀଚିକୋଟ ଛକରେ ବଡ଼ଧରଣର ଅଗ୍ନିକାଣ୍ଡ, ଫସିଥିବା ପର୍ଯ୍ୟଟକ ଉଦ୍ଧାର

ପୁରୀ: ପୁରୀରେ ଭୟାବହ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଗଲା ଜୀବନ । ସନ୍ଧ୍ୟା ୮ଟାରେ ମରୀଚିକୋଟ ଛକ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସରେ ଭୟଙ୍କର ନିଆଁ ଲାଗିଥିଲା । ୬ଟି ଦମକଳ ବାହିନୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ୩ ମହଲା ବିଶିଷ୍ଟ କମ୍ପ୍ଲେକ୍ସର ପ୍ରଥମ ମହଲାରେ ଥିବା ଲୁଗା ଦୋକାନରେ ପ୍ରଥମେ ନିଆଁ ଲାଗିଥିଲା । ପରେ ଏହା ଉପର ମହଲାକୁ ବ୍ୟାପିଥିଲା । ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଥିଲା ଅଗ୍ନିଶମ ବାହିନୀ । କମ୍ପ୍ଲେକ୍ସରେ ମୋଟ ୧୫ରୁ ୨୦ଜଣ ଫସିରହିଥିଲେ ।

ନାସିକର ପର୍ଯ୍ୟଟକମାନେ ପ୍ରାୟ ୨୫ଟି ରୁମ ନେଇରହିଥିଲେ । ସେମାନଙ୍କ ମଧ୍ୟରୁ ୩ଜଣ ଫସିରହିଥିଲେ । ସମସ୍ତଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲା ଅଗ୍ନିଶମବାହିନୀ । ଜଣେ ମହିଳା, ଜଣେ ବୃଦ୍ଧ ଓ ଅନ୍ୟଜଣଙ୍କୁ ବନ୍ଦ ଘରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ସମସ୍ତେ ସୁସ୍ଥ ଅଛନ୍ତି । କମ୍ପ୍ଲେକ୍ସ ଭିତରେ ଭେଣ୍ଟିଲେସନ ହେଉନଥିବାରୁ ନିଆଁ ଲିଭା ଜଟିଳ ହୋଇପଡ଼ିଥିଲା । ପ୍ରବଳ ଧୂଆଁ ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା ।

ଧୂଆଁରେ ଅଣନିଶ୍ବାସୀ ହୋଇଥିଲେ ଅଗ୍ନିଶମ କର୍ମଚାରୀ । ଏକାଧିକ କର୍ମଚାରୀ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । କମ୍ପ୍ଲେକ୍ସରେ ଗହଣା, ଖେଳଣା, ଲୁଗା, କସମେଟିକ୍ସ ଦୋକାନ ରହିଥିବାରୁ ନିଆଁ ବ୍ୟାପକ ହୋଇଥିଲା । ଏହାକୁ ଆୟତ୍ତ କରିବା ଅଗ୍ନିଶମ ବାହିନୀ ପକ୍ଷେ କଠିନ ହୋଇଯାଇଥିଲା । ସ୍ପେଶାଲ ପ୍ଲାନ ଜରିଆରେ କମ୍ପ୍ଲେକ୍ସ ଭିତରେ ପଶି ଉଦ୍ଧାର କରିଥିଲେ ଅଗ୍ନିଶମ କର୍ମଚାରୀ । ଅକ୍ସିଜେନ ସିଲିଣ୍ଡର, ଫାୟାର ଏସ୍କେପ୍ ମାସ୍କ ପିନ୍ଧି ଉଦ୍ଧାର କାର୍ଯ୍ୟ କରିଥିଲା ଫାୟାର ଟିମ୍ । ଘଟଣା ସ୍ଥଳରେ ୬ଟି ଥାନାର ଅଧିକାରୀ ଉପସ୍ଥିତ ଅଛନ୍ତି ।