ବିଜେପି ସାଂସଦଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ

1 min read

ନୂଆଦିଲ୍ଲୀ: ରେସଲିଂ ଫେଡେରେସନ ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରନ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ । ମାମଲାରେ ୭୨ ଘଣ୍ଟା ଭିତରେ ରିପୋର୍ଟ ଦେବାକୁ କହିଛନ୍ତି କେନ୍ଦ୍ର ସରକାରଙ୍କ କ୍ରୀଡା ମନ୍ତ୍ରାଳୟ । ଦିଲ୍ଲୀରେ ଖ୍ୟାତନାମା ରେସଲରଙ୍କ ନାରାବାଜି ପରେ ଘଟଣାକୁ ଗୁରୁତର ସହ ନେଇଛନ୍ତି କେନ୍ଦ୍ର ସରକାର । ମହିଳା ରେସଲରମାନଙ୍କୁ ସଭାପତି ବ୍ରିଜ ଭୂଣଷ ଯୌନ ନିର୍ଯାତନା ଦେଇଆସୁଥିବା ନେଇ ହୋଇଛି ଗୁରୁତର ଅଭିଯୋଗ ।

ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଏହା ଏକ ଷଡ଼ଯନ୍ତ୍ର ବୋଲି କରିଛନ୍ତି ବ୍ରିଜ ଭୂଷଣ । ଦିଲ୍ଲୀ ଜନ୍ତରମନ୍ତରଠାରେ ବ୍ରିଜ ଭୂଷଣଙ୍କ ବିରୋଧରେ ହୋଇଥିବା ବିକ୍ଷୋଭରେ ସାମିଲ ହୋଇଥିଲେ ବିନେଶ ଫୋଗାଟ, ବଜରଙ୍ଗ ପୁନିଆଙ୍କ ସମେତ ବହୁ ପ୍ରତିଷ୍ଠିତ ରେସଲର । ବ୍ରିଜ ଭୂଷଣ କହିଛନ୍ତି- ଧାରଣାରତ ରେସଲରଙ୍କ ମଧ୍ୟରୁ ଅନେକେ ଜାତୀୟ ସ୍ତରରେ ଭାଗ ନେଇନାହାନ୍ତି ।

ଯେତେବେଳେ ଫେଡେରସନ ଏକ ନିୟମ ଆଣିଥାଏ ସେତେବେଳେ ସମସ୍ୟା ଆସିଥାଏ । ଏହି ଆନ୍ଦୋଳନ ପଛରେ ଜଣେ ଶିଳ୍ପପତିଙ୍କ ହାତ ରହିଛି । ବିନେଶ ଫୋଗାଟ ହାରି ଯିବା ପରେ ସେ ତାଙ୍କୁ ସାନ୍ତ୍ବନା ଦେବା ସହ ପ୍ରେରଣା ଯୋଗାଇଥିଲେ । ଅଭିଯୋଗ ପ୍ରସଙ୍ଗରେ ଯେକୌଣସି ତଦନ୍ତର ସମ୍ମୁଖୀନ ହେବାକୁ ସେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ବ୍ରିଜ ଭୂଷଣ । ଏସିଆନ ଗେମସ ଓ କମନଓ୍ବେଲଥ ଗେମ୍ସ ସ୍ବର୍ଣ୍ଣପଦକ ବିଜୟୀ ଫୋଗାଟ ଅଭିଯୋଗ କରିଛନ୍ତି- ତାଙ୍କୁ ବ୍ରିଜ ଭୂଷଣ ମାନସିକ ଭାବେ ଆଘାତ ପହଞ୍ଚାଇଛନ୍ତି ।

ଅତୀତରେ ଯୌନ ନିର୍ଯାତନା ପ୍ରସଙ୍ଗରେ ସେ କିଛି ଅଭିଯୋଗ କରିଥିଲେ ସୁଦ୍ଧା ତାଙ୍କୁ ଦବାଇ ଦିଆଯାଇଥିଲା । ଏହାକୁ ନେଇ ସେ ଆତ୍ମହତ୍ୟା କରିବା ଲାଗି ଚିନ୍ତା କରିଥିଲେ । ଦିଲ୍ଲୀରେ ହୋଇଥିବା ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ଅଲିମ୍ପିକ ପଦକବିଜେତା ସାକ୍ଷୀ ମଲ୍ଲିକ ବି ସାମିଲ ହୋଇଥିଲେ । ବ୍ରିଜ ଭୂଷଣ ବର୍ତ୍ତମାନ ଉତ୍ତରପ୍ରଦେଶ କୈସରଗଞ୍ଜ ଆସନରୁ ବିଜେପି ସାଂସଦ ଅଛନ୍ତି ।