ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ଭାଇଙ୍କ ବିରୋଧରେ ରିଲିଫ୍ ସାମଗ୍ରୀ ଚୋରି ମାମଲା

କୋଲକତା: ପଶ୍ଚିମବଙ୍ଗ ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ଭାଇଙ୍କ ବିରୋଧରେ ପୋଲିସ ରିଲିଫ୍ ସାମଗ୍ରୀ ଚୋରି ଅଭିଯୋଗରେ ମାମଲା ରୁଜ୍ଜୁ କରିଛି । କାଣ୍ଠି ନଗର ପାଳିକାରୁ ଦୁଇ ଭାଇ ରିଲିଫ୍ ସାମଗ୍ରୀ ଚୋରି କରିଥିବା ଅଭିଯୋଗ ହୋଇଛି । ରତ୍ନଦୀପ ମନ୍ନାଙ୍କ ଅଭିଯୋଗ ଆଧାରରେ ପୋଲିସ ଏହି ଏତଲା ଦାଏର କରିଛି । ରତ୍ନଦୀପ କାଣ୍ଠି ନଗରପାଳିକାର ପ୍ରଶାସନିକ ବୋର୍ଡ୍ ସଦସ୍ୟ ଅଟନ୍ତି । ଶୁଭେନ୍ଦୁ ରିଲିଫ ସାମଗ୍ରୀ ଚୋରି କରିବା କାମରେ କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସାହାଯ୍ୟ ନେଇଥିବା ମଧ୍ୟ ଅଭିଯୋଗ ହେଉଛି ।
ଏତଲା ଅନୁସାରେ ମେ ୨୯ ତାରିଖ ଦିନ ମଧ୍ୟାହ୍ନ ୧୨.୩୦ ବେଳ ଶୁଭେନ୍ଦୁ,ତାଙ୍କ ଭାଇ ଓ କାଣ୍ଠି ନଗର ପାଳିକାର ପୂର୍ବତନ ଅଧ୍ୟକ୍ଷଙ୍କ ଆଦେଶରେ ସରକାରୀ ତାରପୁଲିନ୍ ଚୋରି ହୋଇଥିଲା । ଯାହାର ମୂଲ୍ୟ ଲକ୍ଷାଧିକ ଥିଲା । ତାଲା ଭାଙ୍ଗି ଅଧିକାରୀ ଭାଇ ଏହି ଚୋରି କରିଥିଲେ ବୋଲି ଏତଲାରେ ରତ୍ନଦୀପ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ୨୦୨୦ ନଭେମ୍ବର ପର୍ଯ୍ୟନ୍ତ ଶୁଭେନ୍ଦୁ ମମତାଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିଲେ । ତେବେ ମତଭେଦ କାରଣରୁ ସେ ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ । ନନ୍ଦିଗ୍ରାମ ବିଧାନସଭା ଆସନରୁ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରାସ୍ତ କରିଥିଲେ । ନବ ଗଠିତ ବିଧାନସଭାରେ ସେ ବିରୋଧୀ ଦଳ ନେତା ଅଛନ୍ତି ।

Leave a Reply