ଦୁବାଇ ପୋଲିସ ରୁଜୁ କରିପାରେ ଟ୍ରଫି ଚୋରି ମାମଲା!, ଜେଲ ଯାଇପାରନ୍ତି ନକଭି

ନନ୍ଦିଘୋଷ ବ୍ୟୁରୋ : ନିକଟରେ ସରିଛି ଏସିଆ କପ୍ । ପାକିସ୍ତାନକୁ ହରାଇ ଭାରତ ଚାମ୍ପିୟନ ହୋଇଛି । ତେବେ ବିନା ଟ୍ରଫିରେ ସେଲିବ୍ରେସନ କରିଥିଲା ଭାରତ । ଭାରତ ଏସିସି ମୁଖ୍ୟ ରହିଥିବା ନକଭିଙ୍କ ହାତରୁ ଟ୍ରଫି ନେବାକୁ ସିଧା ସିଧା ମନା କରି ଦେଇଥିଲା । ମାତ୍ର ଶେଷ ସମୟରେ ମେଡାଲ ଏବଂ ଟ୍ରଫି ଧରି ପଳାଇଥିଲେ ନକଭି । ଯାହାକୁ ନେଇ ବିଦାଦ ଲାଗି ରହିଛି । ଭାରତ ଟାଇଟଲ ଜିତିବାର ୭୨ ଘଣ୍ଟା ପୂରି ସାରିଛି । ମାତ୍ର ଏଯାବତ ଟ୍ରଫି ହସ୍ତାନ୍ତର କରି ନାହାଁନ୍ତି ନକଭି । କିମ୍ବା ଏସୀୟ କ୍ରିକେଟ ପରିଷଦକୁ ମଧ୍ୟ ପଠାଇ ନାହାନ୍ତି । ନିଜ ଜିଦରେ ଅଟଳ ରହିଥିବା ନକଭିଙ୍କୁ ନେଇ ଏବେ କଠୋର ହେବାକୁ ଯାଉଛି ବିସିସିଆଇ ।
ଟ୍ରଫି ଚୋରି କରିବା ଏବଂ ବଳପୂର୍ବକ ଟ୍ରଫି ହାତେଇବା ମାମଲାରେ ଦୁବାଇ ପୋଲିସ ନିକଟରେ ଅଭିଯୋଗ କରିବା ଲାଗି ଯୋଜନା କରୁଥିବା ଏକ ବିଶେଷ ସୂତ୍ରରୁ ଜଣା ପଡ଼ିଛି । ୭୨ ଘଣ୍ଟା ମଧ୍ୟରେ ଯଦି ଟ୍ରଫି ନଫେରାନ୍ତି ତାହେଲେ ଆଇନ ହିସାବରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ କୁହାଯାଇଛି । ଯଦି ଏଭଳି କରାଯାଏ ତାହେଲେ ନକଭିଙ୍କୁ ଜେଲ ଯିବାକୁ ପଡ଼ିପାରେ । ଦୁବାଇରେ ଅପରାଧ କମ ରହିଥାଏ । କାରଣ ଏଠାରେ ଦଣ୍ଡବିଧାନ କଠୋର ହୋଇଥାଏ । ତେବେ ଯଦି ନକଭିଙ୍କ ବିରୋଧରେ ମାମଲା ରୁଜୁ ହୁଏ ତାହେଲେ ଅତି କମରେ ତାଙ୍କୁ ୫ ବର୍ଷ ଜେଲ ହୋଇପାରେ ।