‘ମହାନଦୀକୁ ବଞ୍ଚାଇବାକୁ ଦେଶ ଓ ରାଜ୍ଯର ସର୍ବୋଚ୍ଚ ନେତାଙ୍କୁ ଭେଟିବୁ’

ଭୁବନେଶ୍ବର: ମହାନଦୀ ବିବାଦର ସମାଧାନ ତଥା ଓଡ଼ିଶାର ହକ ପାଇଁ ଅଣ୍ଟା ଭିଡ଼ିଛି ମହାନଦୀ ବଞ୍ଚାଓ ଆନ୍ଦୋଳନ । ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ଯୁନାଲର ପ୍ରକ୍ରିୟା ବିଳମ୍ବିତ ହେଉଥିବା ବେଳେ ଏ ଯାଏଁ ସମ୍ପୂର୍ଣ୍ଣ ତଥ୍ୟ ମଧ୍ୟ ରାଜ୍ୟଗୁଡିକ ଦାଖଲ କରିନାହାନ୍ତି । ତେଣୁ ମହାନଦୀ ବଞ୍ଚାଓ ଆନ୍ଦୋଳନ ଖୁବ ଶୀଘ୍ର ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଓ ଓଡ଼ିଶାର ସାଂସଦଙ୍କୁ ଭେଟି ଦାବି ଉପସ୍ଥାପନ କରିବ । ଏଥିସହିତ ଉଭୟ ଓଡିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନିଷ୍ପତ୍ତି ନେଇଛି ମହାନଦୀ ବଞ୍ଚାଓ ଆନ୍ଦୋଳନ । ସେପଟେ ନାଗରିକ ସୁରକ୍ଷା ମଞ୍ଚ ମଧ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ମହାନଦୀ ସମସ୍ୟାର ସମାଧାନ ପାଇଁ ଦାବି ରଖିବ ବୋଲି କହିଛି ।

ମହାନଦୀ ବିବାଦକୁ ନେଇ ବାରମ୍ବାର ଦାବି ହେଉଥିଲେ ବି ଓଡିଶା ଲଗାତର ଅବହେଳିତ ହୋଇଆସିଛି । କାମ ଦେଉନି ବାରମ୍ବାର ଆନ୍ଦୋଳନ ଓ ଲଢେଇ । ଗୁହାରୀ ସତ୍ତ୍ବେ ଓଡିଶାକୁ ମିଳୁନି ନ୍ଯାୟ । ଏପରିକି ମହାନଦୀ ଜଳ ବିବାଦ ସମାଧାନ ପାଇଁ ଗଠିତ ଟ୍ରିବ୍ଯୁନାଲର ପ୍ରକ୍ରିୟା ମଧ୍ୟ ବିଳମ୍ବିତ ହେଉଛି । ଏହାକୁ ଆଖିରେ ରଖି ମହାନଦୀ ବଞ୍ଚାଓ ଆନ୍ଦୋଳନ ବର୍ତ୍ତମାନ ବିକଳ୍ପ ପ୍ରୟାସ ଆରମ୍ଭ କରିଛି । ବର୍ତ୍ତମାନ ଦେଶର ରାଷ୍ଟ୍ରପତି ପଦରେ ଓଡ଼ିଆ ରହିଥିବା ବେଳେ ଓଡ଼ିଶାର ୨୦ ଜଣ ସାଂସଦ ଶାସକ ବିଜେପି ଦଳର ରହିଛନ୍ତି । ଏପରିକି ଓଡ଼ିଶାରେ ବିଜେପି ସରକାର ମଧ୍ୟ ଆସିଛି । ତେଣୁ ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ମହାନଦୀ ଜଳ ବିବାଦର ସ୍ଥିତିକୁ ନେଇ ଏକ ସଦ୍ୟ ରିପୋର୍ଟ ପ୍ରସ୍ତୁତ କରାଯାଉଛି । ଏହି ରିପୋର୍ଟ ପ୍ରସ୍ତୁତ ହେବା ପରେ ଏହାକୁ ନେଇ ଏକ ଟିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଏବଂ ଓଡିଶାରୁ ନିର୍ବାଚିତ ହୋଇଥିବା ୨୦ ଜଣ ଲୋକସଭା ସାଂସଦଙ୍କୁ ଭେଟି ତ୍ୱରିତ ସମାଧାନ ପାଇଁ ଦାବି କରିବ । ଏପରିକି ଓଡିଶା ଓ ଛତିଶଗଡର ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରି କିଭଳି ଆଲୋଚନା ମାଧ୍ୟମରେ ସମାଧାନ କରାଯିବ ସେ ନେଇ ଜୋରଦାର ଉଦ୍ୟମ କରିବ ବୋଲି କୁହାଯାଇଛି । ବର୍ତ୍ତମାନ ଟ୍ରିପଲ ଇଞ୍ଜିନ ସରକାର ଚାଲିଥିବାରୁ ଆଉ ବିଳମ୍ବ ନ କରି ସମସ୍ତେ ମହାନଦୀର ସୁରକ୍ଷା ପାଇଁ ଲାଗି ପଡିବା ଉଚିତ ବୋଲି ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ କୁହାଯାଇଛି ।

ସେପଟେ ନାଗରିକ ସୁରକ୍ଷା ମଞ୍ଚ ମଧ୍ୟ ମହାନଦୀ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନିଷ୍ପତ୍ତି ନେଇଛି । ମହାନଦୀ ସମସ୍ୟାର ସମାଧାନ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ସୃଷ୍ଟି ହେବା ସହ ପ୍ରଧାନମନ୍ତ୍ରୀ ଓଡିଶାକୁ ଫୋକସ କରୁଥିବାରୁ କେନ୍ଦ୍ରୀୟ ସ୍ତରରେ ଏ ପ୍ରସଙ୍ଗକୁ ଜୋରଦାର ଉପସ୍ଥାପନା କରିବାକୁ ଦାବି ହୋଇଛି । ଏସବୁ ଭିତରେ ଚାଷୀକୁଳ ମଧ୍ୟ ବହୁ ଆଶା ନେଇ ଅପେକ୍ଷା କରିଛି । ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାବେଳେ ମହାନଦୀ ଜଳ ଚାଷ ପାଇଁ ଏକାନ୍ତ ଆବଶ୍ୟକ । ତେଣୁ ମହାନଦୀ ସମସ୍ୟାର ସମାଧାନ ପାଇଁ ସମସ୍ତେ ଏକ ହେବାକୁ କୃଷକ ସଂଘ ପକ୍ଷରୁ ଦାବି ହୋଇଛି । କେବଳ ପ୍ରତିଶ୍ରୁତି ନୁହେଁ ବରଂ କାମରେ କରି ଦେଖାଇବାକୁ ଆହ୍ବେନ ଦିଆଯାଇଛି ।

ଦେଶ ତଥା ରାଜ୍ୟର ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ମହାନଦୀ ପ୍ରସଙ୍ଗରେ ଓଡିଶାକୁ ତା’ର ହକ ମିଳିବା ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି ହେବା ସହ ଏହାକୁ ନେଇ ରାଜନୈତିକ ବିତର୍କ ମଧ୍ୟ ଆରମ୍ଭ ହୋଇଛି । ତେଣୁ ମହାନଦୀ ବଞ୍ଚାଓ ଆନ୍ଦୋଳନ ଓ ଅନ୍ୟ ନାଗରିକ ମଞ୍ଚ ଏହି ପ୍ରସଙ୍ଗକୁ ଆଗକୁ ନେବାକୁ ଉଦ୍ୟମ କରିବା ପ୍ରସଙ୍ଗକୁ ନୂଆ ରୂପ ଦେଇଛି ।