କରୋନା ଭୟ, ପୁଅ ସହ ନିଜକୁ ୩ ବର୍ଷ ବନ୍ଦୀ କରି ରଖିଥିଲେ ମହିଳା

ଚଣ୍ଡିଗଡ଼: କରୋନା ହଜାର ହଜାର ଲୋକଙ୍କ ଜୀବନ ନେବା ସହ ପରିବାର ଉଜାଡ଼ି ଦେଇଥିଲା । କାହାର ଜୀବନ ଭିତରକୁ ଏମିତି ଧସେଇ ପଶିଲା ଯେ, ସେହି ଭୟ, ମାନସିକ ଚାପରୁ ମୁକୁଳିବା କଷ୍ଟକର ହୋଇପଡ଼ିଲା । ଏପରିକି ଏବେ ସୁଦ୍ଧା କିଛି ଲୋକ ଅଦୃଶ୍ୟ ଭୂତାଣୁର ଭୟରେ ସନ୍ତୁଳି ହେଉଛନ୍ତି । ବାହାରକୁ ଗଲେ କାଳେ କରୋନା ମାଡ଼ିବସିବ ଏହି ଭୟରେ ଘରୁ ବାହାରୁ ନାହାଁନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ହରିୟାଣାର ଗୁରୁଗ୍ରାମରେ । କରୋନାର ଭୟାନକ ଘଟଣା ବାବଦରେ ଜାଣିବା ପରେ ୩୩ ବର୍ଷିୟା ମୁନମୁନ ମାଝୀ ଅତିମାତ୍ରାରେ ଭୟଭୀତ ହୋଇପଡ଼ିଥିଲେ । ବାହାରକୁ ବାହାରିଲେ କରୋନା ଆକ୍ରାନ୍ତ ହେବା ପକ୍କା ବୋଲି ଧରିନେଇ ସେ ଓ ନିଜର ୧୦ ବର୍ଷୀୟ ପୁଅକୁ ଘର ଭିତରେ ବନ୍ଦ କରି ରଖିଲେ । ଖାସ କରି ପୁଅ ଘରୁ ବାହାରିଲେ କରୋନାରେ ମରିଯିବ ବୋଲି ଧରିନେଇ ଘରେ ତାକୁ ବନ୍ଦ କରି ରଖିଲେ ।

ଏହି ସମୟରେ ମୁନମୁନଙ୍କ ସ୍ବାମୀ ସୁଜାନ ମାଝୀ ଯିଏ କି ଜଣେ ଇଞ୍ଜିନିୟର ସେମାନଙ୍କୁ ଖାଦ୍ୟ ପଦାର୍ଥ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଆସୁଥିଲେ । ଏମିତି ଭାବେ ୩ ବର୍ଷ ବିତିସାରିଥିଲେ ସୁଦ୍ଧା ମୁନମୁନ ଘରୁ ଆଉ ବାହାରିଲେନି । ତିନି ବର୍ଷ ପରେ ବି ଯେତେବେଳେ ଘରୁ ବାହାରିବାକୁ ମୁନମୁନ ମନାକଲେ ସେତେବେଳେ ପୋଲିସର ସାହାଯ୍ୟ ନେଇଥିଲେ ସୁଜାନ । ପୋଲିସ ମୁନମୁନଙ୍କ ଘରେ ପହଞ୍ଚି ଉଦ୍ଧାର କରିବା ସହିତ ତାଙ୍କୁ ଡାକ୍ତରଖାନା ପଠାଇଥିଲେ । ଘରେ ତିନି ବର୍ଷର ଅଳିଆ ଆବର୍ଜନା ପଡ଼ି ଗନ୍ଧମୟ ପରିବେଶ ହୋଇସାରିଥିଲା । ୭ ବର୍ଷର ପୁଅ ୧୦ ବର୍ଷର ହୋଇସାରିଥିଲା । ତା ମୁଣ୍ଡର ଚୁଟି କାନ୍ଧ ଯାଏଁ ଲମ୍ବି ଆସିଥିଲା । ଏପରି ଅବସ୍ଥାରେ ଦେଖି ପୋଲିସ ତାଜୁବ ହୋଇପଡିଥିଲା । ହେଲେ ସେ ନିଜକୁ ଫିଟ୍ ବୋଲି କହିଥିଲେ ମୁନମୁନ । ସେପଟେ ସ୍ତ୍ରୀ ଓ ପୁଅ ବାହାରକୁ ଆସିବା ପରେ ଖୁବ ଶୀଘ୍ର ତାଙ୍କ ଜୀବନ ଟ୍ରାକକୁ ଫେରିବ ବୋଲି କହିଛନ୍ତି ସୁଜାନ ମାଝୀ ।