ବଦଳୁ ଚିରାଚରିତ ସୁପାରିସ ବ୍ଯବସ୍ଥା: ଆର୍ଥିକ ପରିଚାଳନା, ଜନସଂଖ୍ଯା ନିୟନ୍ତ୍ରଣ, ଦୁର୍ବିପାକ ମୁକାବିଲା ପାଇଁ ଓଡ଼ିଶାକୁ ମିଳୁ ଅଧିକ ଅର୍ଥ

ଭୁବନେଶ୍ବର: ରାଜ୍ୟମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଅର୍ଥ କମିଶନଙ୍କ ଚିରାଚରିତ ସୁପାରିସ ବ୍ୟବସ୍ଥାରେ ହେଉ ପରିବର୍ତ୍ତନ । ଷୋଡଶ ଅର୍ଥ କମିଶନଙ୍କ ଗସ୍ତର ପ୍ରଥମ ଦିନରୁ ଏଭଳି ଦାବି କରିଛନ୍ତି ବିରୋଧୀ ଦଳ ଓ ଅର୍ଥନୀତି ସମୀକ୍ଷକ । ଅର୍ଥ କମିଶନଙ୍କ ମାପକାଠିରେ ଓଡିଶା ସବୁ ମାନଦଣ୍ଡ ପୂରଣ କରୁଥିଲେ ବି ବାରମ୍ବାର ଉପେକ୍ଷିତ ହେଉଛି । ଚତୁର୍ଦ୍ଦଶ ଓ ପଞ୍ଚଦଶ ଅର୍ଥ କମିଶନ ଉଭୟ ଓଡିଶାର ନ୍ଯାଯ୍ୟ ଦାବିକୁ ଅଣଦେଖା କରି କେବଳ ରାଜନୈତିକ ସ୍ବାର୍ଥ ହାସଲ ପାଇଁ ବିହାର, ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର ପରି ରାଜ୍ୟକୁ କେବଳ ଭୌଗଳିକ କ୍ଷେତ୍ର ଓ ଜନସଂଖ୍ୟା ଆଧାରରେ ଅଧିକ ଅନୁଦାନ ଅଜାଡି ଦେଉଛନ୍ତି । ଏଭଳି ଆକ୍ଷେପ କରିଛନ୍ତି ବିରୋଧୀ ଓ ଅର୍ଥନୀତି ସମୀକ୍ଷକ ।

ଚତୁର୍ଦ୍ଦଶ ଅର୍ଥ କମିଶନରେ କେନ୍ଦ୍ର ଟିକସ ଅଂଶରୁ ଓଡ଼ିଶାକୁ ମିଳିଥିଲା ୪.୬୪୨ ପ୍ରତିଶତ । ପଞ୍ଚଦଶ ଅର୍ଥ କମିଶନରେ ରାଜ୍ୟ ପାଇଥିଲା ୪.୫୨୮ ପ୍ରତିଶତ । ଗୋଟିଏ ପରେ ଗୋଟିଏ କେନ୍ଦ୍ର କମିଶନଙ୍କ ସୁପାରିସରେ ଓଡ଼ିଶାର ଭାଗ କମି କମି ଚାଲିଛି । ଏଥରକ କେନ୍ଦ୍ର ଟିକସ ଅଂଶରୁ ଓଡ଼ିଶାକୁ କେତେ ଦେବେ ଷୋଡ଼ଶ ଅର୍ଥ କମିଶନ ? ଏମିତି ପ୍ରଶ୍ନ ଏବେ ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଥିବାବେଳେ ଆଜି ଚାରି ଦିନିଆ ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି ଷୋଡ଼ଶ ଅର୍ଥ କମିଶନ । ଡ. ଅରବିନ୍ଦ ପାନଗାରିଆଙ୍କ ନେତୃତ୍ବରେ ୧୫ ଜଣିଆ ଟିମ ଆସନ୍ତା ୬ ତାରିଖରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ।

କମିଶନଙ୍କ ପାଖରେ ଓଡ଼ିଶା ୧୨ ଲକ୍ଷ ୫୬ ହଜାର ୧୪୮ କୋଟି ଟଙ୍କାର ଦାବି ରଖିବେ ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଥିଲେ । ହେଲେ ଦାବିର ଆଧାର କ’ଣ ରହିବ ତାକୁ ନେଇ କିଛି ବି ସରକାର ସ୍ପଷ୍ଟ କରିନାହାନ୍ତ । ବିଜେଡି ସରକାର ସମୟରେ ପଞ୍ଚଦଶ ଅର୍ଥ କମିଶନଙ୍କ ପାଖରେ ଶ୍ରୀମନ୍ଦିର ଓ କେବିକେ ଜିଲ୍ଲା ପାଇଁ ସ୍ବତନ୍ତ୍ର ପାଣ୍ଠି ପାଇଁ ଦାବି କରାଯାଇଥିଲା । କିନ୍ତୁ ତାହା ପୂରଣ ହେଲାନି । କେନ୍ଦ୍ର ଅର୍ଥ କମିଶନ କେବଳ ଭୌଗଳିକ କ୍ଷେତ୍ର, ଜନସଂଖ୍ୟା, ମୁଣ୍ଡପିଛା ଆୟକୁ ଦେଖି ରାଜ୍ୟକୁ ଅନୁଦାନ ଦେଉଛନ୍ତି । ଏଥିରେ ପରୋକ୍ଷରେ ରାଜନୈତିକ ଫାଇଦା ହାସଲ କରୁଛି କେନ୍ଦ୍ର । ଯାହାଦ୍ବାରା ଓଡ଼ିଶା ଭଳି ରାଜ୍ୟ କ୍ଷତିଗ୍ରସ୍ତ ହେଉଛି । ଏଥର କମିଶନଙ୍କ ଆଗରେ ବିଜେଡି ରାଜ୍ୟକୁ ଅଧିକ ଅର୍ଥ ଦେବା ନେଇ ଦାବି ରଖିବ । କଂଗ୍ରେସ କହିଛି ସରକାର କେବଳ ଆଲୋଚନା ଓ ଅଭ୍ୟର୍ଥନାରେ କାମ ନସାରି ଯୁକ୍ତିଯୁକ୍ତ ଦାବି ରଖନ୍ତୁ ।

ଆର୍ଥିକ ପରିଚାଳନାଠାରୁ ଆରମ୍ଭ କରି ସବୁ ବିକାଶ ଲକ୍ଷ୍ୟ ହାସଲରେ ଓଡିଶାର ପ୍ରଦର୍ଶନ ଅନ୍ୟ ରାଜ୍ୟ ତୁଳନାରେ ଅଧିକ । କିନ୍ତୁ ଅର୍ଥ କମିଶନ ଆର୍ଥିକ ପରିଚାଳନା କ୍ଷେତ୍ରକୁ ମାତ୍ର ୨.୫ ପ୍ରତିଶତ ଓ୍ବେଟେଜ ଦେଉଛନ୍ତି । ଜନସଂଖ୍ୟା ନିୟନ୍ତ୍ରଣରେ ଓଡ଼ିଶା ରେକର୍ଡ କରିଛି । ହେଲେ ଏକ୍ଷେତ୍ରକୁ ମିଳୁଛି ୧୫ ପ୍ରତିଶତ । ଭୌଗଳିକ କ୍ଷେତ୍ର ପାଇଁ କମିଶନ ଦେଉଛନ୍ତି ୧୫ ପ୍ରତିଶତ ଓ୍ବେଟେଜ । ଏସବୁକୁ ଚିରାଚରିତ ଭାବେ ଗୁରୁତ୍ବ ଦେଲେ ଓଡ଼ିଶା କେବେ ବି ଅଧିକ ଅର୍ଥ ପାଇପାରିବନି । ପୂର୍ବ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ହେତୁ ଓଡ଼ିଶାର ମୁଣ୍ଡପିଛା ଆୟ ୧ ଲକ୍ଷ ୮୦ ହଜାର ଟଙ୍କା ହୋଇପାରିଛି । ଯାହାକି ଜାତୀୟ ହାରଠାରୁ ମାତ୍ର ୨୦ ହଜାର ଟଙ୍କା କମ୍ । ଏହାକୁ କମିଶନ ଦେଉଛନ୍ତି ସର୍ବାଧିକ ୪୫ ପ୍ରତିଶତ ଓ୍ବେଟେଜ । ଓଡ଼ିଶା ନୂଆ ଜଙ୍ଗଲ ସୃଷ୍ଟି ସାଙ୍ଗକୁ ଦୁର୍ବିପାକ ପ୍ରବଣ ରାଜ୍ୟ ଭାବେ ଓଡିଶାକୁ କମିଶନ ଅଧିକ ସହାୟତା ଦେବା ଉଚିତ । ସେହିପରି ପୂର୍ବ ସରକାରଙ୍କ ସମୟରେ କୁପୋଷଣ ଦୂର ହେବା ସହିତ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବାରେ ଓଡ଼ିଶାର ପ୍ରଦର୍ଶନ ଭଲ ରହିଛି । ଯେଉଁ ରାଜ୍ୟ ଏତେସବୁ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିପାରିଛି ତାକୁ ଗୁରୁତ୍ବ ନ ଦେଇ କେବଳ ଜନସଂଖ୍ୟା ଓ ଭୌଗଳିକ କ୍ଷେତ୍ର ଆଧାରରେ ଅନୁଦାନ ଆଦୌ ଗ୍ରହଣୀୟ ନୁହେଁ ।