ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଓଏଏସ୍‌ ଅଧିକାରୀଙ୍କ ଶ୍ୱଶୁର ଗିରଫ

1 min read

ଭୁବନେଶ୍ୱର: ଭୁବନେଶ୍ୱରରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ସହ ଗର୍ଭବତୀ ଘଟଣାରେ ଓଏଏସ୍‌ ଅଫିସର୍‌ଙ୍କ ଶଶୁରକୁ ଗିରଫ କରିଛି ଯାଜପୁର ପୋଲିସ । ଏନେଇ ଯାଜପୁର DSP ସୂଚନା ଦେଇଛନ୍ତି । ତେବେ ଦୁଷ୍କର୍ମ ଅଭିଯୋଗ ଆସିବା ପରଠାରୁ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ଅଭିଯୁକ୍ତ ମେଡିକାଲରେ ଭର୍ତ୍ତି ହୋଇଥିଲେ । ତେବେ ଏବେ ମେଡିକାଲରୁ ବାହାରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି ।

ଏହି ଦୁଷ୍କର୍ମ ଘଟଣାରେ ଓଏଏସ୍‌ ଅଧିକାରୀଙ୍କ ସହ ଜଣେ ମଧ୍ୟସ୍ଥିଙ୍କୁ ମଧ୍ୟ ପୋଲିସ ଜେରା କରି ସାରିଛି । ତେବେ ଆଜି ଯାଜପୁର ପୋଲିସ ଓଏଏସ୍‌ ଅଧିକାରୀଙ୍କ ଶ୍ୱଶୁରକୁ ଗିରଫ କରି କୋର୍ଟଚାଲାଣ କରିଥିବା ସୂଚନା ମିଳିଛି । ବାଲିଚନ୍ଦ୍ରପୁର ଥାନା ଅଧୀନ ନାନପୁର ଅଂଚଳର ନାବାଳିକା ଭୁବନେଶ୍ୱରର ଶୈଳେଶ୍ରୀ ବିହାର ଅଞ୍ଚଳରେ ରହୁଥିବା ଜଣେ ଓଏଏସ୍‌ ଅଧିକାରୀଙ୍କ ଘରେ ସହୟକ ଭାବେ କାମ କରୁଥିଲେ । ଉକ୍ତ ନାବାଳିକା ଉପରେ ଓଏଏସ୍‌ ଅଧିକାରୀଙ୍କ ଶ୍ୱଶୁରଙ୍କ ଲୋଲୁପ ଦୃଷ୍ଟି ପଡ଼ିଥିଲା । ଫଳରେ ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇବା ସହ ଧମକ ଚମକ ଦେଇ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ନାବାଳିକା ସହିତ ଅଭିଯୁକ୍ତ ଶ୍ୱଶୁର ବାରମ୍ବାର ଦୁଷ୍କର୍ମ କରି ତାକୁ ଗର୍ଭବତୀ କରିଥିଲା । ଏହି କଥା ଜଣାପଡ଼ିବା ପରେ ନାବାଳିକା ପରିବାର ପକ୍ଷରୁ ବାଲିଚନ୍ଦ୍ରପୁର ଥାନାରେ ଏତଲା ଦିଆଯାଇଥିଲା ।

Minor Girl Alleged Rape Several Times By An OAS Officers Father In Law In Bhubaneswar

ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଅନ୍ୟପଟେ ଏହି ଘଟଣାର ଗୁରୁତ୍ୱ ବୁଝିପାରି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ମଧ୍ୟ ଏଥିରେ ହସ୍ତକ୍ଷେପ କରିଥିଲା । ଏମିତିକି ଯାଜପୁରରେ ପହଞ୍ଚି ଏକ ଟିମ୍‌ ଖୋଳତାଡ଼ କରିଥିଲା ।

ପୋଲିସର ପ୍ରଥମିକ ତଦନ୍ତ ଚାଲିଥିବା ବେଳେ ଅଭିଯୁକ୍ତ ଶ୍ୱଶୁର ସ୍ୱାସ୍ଥ୍ୟଗତ ସମସ୍ୟା ଆଳ ଦେଖାଇ ଗିରଫକୁ ଏଡ଼ାଇବା ପାଇଁ ମେଡିକାଲରେ ଭର୍ତ୍ତି ହୋଇଥିଲା ବୋଲି କୁହାଯାଉଛି । ତେବେ କିଛି ଦିନ ମେଡିକାଲରେ ରହିବା ପରେ ସେ ସୁସ୍ଥ ହୋଇଥିବା ନେଇ ମେଡିକାଲରୁ ରିପୋର୍ଟ ଆସିବା ପରେ ଆଜି ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

 

Leave a Reply