ଆଜି ନୟାଗଡ଼ରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା

ନୟାଗଡ : ୧୬୦୦ ଫୁଟ ପାହାଡ଼ ଶୀର୍ଷରେ ଆଖି ଲାଖିଗଲା ପରି ଭବ୍ୟ ରାମ ମନ୍ଦିର । ଦେଶରେ ରାମନ୍ଦିର ପ୍ରାଣପ୍ରତିଷ୍ଠାକୁ ନେଇ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବାବେଳେ ଆଜି ନୟାଗଡ଼ ଜିଲ୍ଲା ଫତେଗଡ଼ ନିକଟ ପାହାଡ଼ ଉପରେ ଭବ୍ୟ ରାମମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି। ପ୍ରତିଷ୍ଠା ଅବସରରେ ପୁରୀ ଶଙ୍କରାଚାର୍ଯ୍ୟ ଏବଂ ଗଜପତି ମହାରାଜା ଯୋଗଦେବେ । ପ୍ରତିଷ୍ଠା ପରେ ପ୍ରଥମେ ରାମଙ୍କୁ ଦର୍ଶନ କରିବେ ଶଙ୍କରାଚାର୍ଯ୍ୟ। ପାହାଡ଼ ଶୀର୍ଷରେ ରାମ ମନ୍ଦିରର ସୁନ୍ଦର କୀର୍ତ୍ତିରାଜି ଦେଖିବାକୁ ମିଳିଛି । ଆଖି ଲାଖି ଗଲା ପରି କାରୁକାର୍ଯ୍ୟ ସହ ପ୍ରାକୃତିକ ପରିବେଶରେ ଶ୍ରଦ୍ଧାଳୁଙ୍କ ଅପେକ୍ଷାରେ ରହିଛି ଏହି ମନ୍ଦିର।

ଫତେଗଡ ଗ୍ରାମବାସୀ ଓ ଶ୍ରୀରାମ ସେବା ପରିଷଦ ନିଜସ୍ୱ ପୁଞ୍ଜିରେ ମନ୍ଦିର ନିର୍ମାଣ କରିଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରର ୧୫୦ ଜଣ ବଛା ବଛା କାରିଗର ୫ ବର୍ଷ ଅକ୍ଲାନ୍ତ ପରିଶ୍ରମ କରି ରାମ ମନ୍ଦିର ନିର୍ମାଣ କରିଛନ୍ତି । ରେଖ, ଭଦ୍ର, ମୋହନ ଢାଞ୍ଚାରେ ତିଆରି ହୋଇଥିବା ଏହି ମନ୍ଦିରର ଉଚ୍ଚତା ପ୍ରାୟ ୬୫ ଫୁଟ । କେବଳ ବଉଳମାଳା ପଥରରେ ନିର୍ମାଣ ହୋଇଛି ମନ୍ଦିର । ସାଧୁସନ୍ଥଙ୍କ ମନ୍ତ୍ରପାଠରେ ଗୁଞ୍ଜରିତ ହେଉଛି ଚତୁଃପାର୍ଶ୍ବ ।